ଚିତ୍ରକୋଣ୍ଡାରେ ଫୁଟିଲା ଗୁଳି: ଟଳିଲେ ୨ ମାଓବାଦୀ

ମାଲକାନଗିରି/ଚିତ୍ରକୋଣ୍ଡା,୧୩।୧୨(ଡି.ଏନ୍‌.ଏ):ପୁଣି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଫୁଟିଲା ଗୁଳି। ସିଙ୍ଗାରାମଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ରବିବାର ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ତଥା ଏରିଆ କମିଟି ମେମ୍ବର ମାଲା ବୋଲି ଜଣାପଡ଼ିଥିବା ବେଳେ ଆଉ ଜଣେ ମହିଳା ମାଓବାଦୀଙ୍କ ପରିଚୟ ଏବେ ସୁଦ୍ଧା ଜଣାପଡ଼ିନାହିଁ। ଉଭୟ ଛତିଶଗଡ ଅଞ୍ଚଳର ଏବଂ ସେମାନେ ଦୀର୍ଘ ଦିନ ହେବ ମାଓ ସଂଗଠନରେ କାମ କରୁଥିବା ନେଇ ପୋଲିସ ଅନୁମାନ କରୁଛି।

ସୂଚନାନୁଯାୟୀ, ମାଓବାଦୀମାନେ ଗୁରୁତ୍ୱପୂର୍ଣ୍ଣ ବେଠକ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ୧୦ରୁ ଅଧିକ ମାଓବାଦୀ ବୈଠକ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ପ୍ରଥମେ ମାଓବାଦୀଙ୍କ ପକ୍ଷରୁ ଆଖିବୁଜା ଗୁଳିବର୍ଷା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ଜବାବରେ ପାଲଟା ଗୁଳି ଚାଳନା କରାଯାଇଥିଲା। ଫଳରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ଅନ୍ୟ ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଏସଓଜି, ଯବାନ ଓ ଡିଭିଏଫ ଯବାନ ଏହି ଅପରେଶନ୍‌ରେ ସାମିଲ ଥିଲେ ।

Share