ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀଙ୍କ ଜୀବନ ଗଲା: ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୨୩ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ ୪୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ତରଙ୍ଗିଣୀ ଜଳପ୍ରପାତରେ ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ। ଜଣେ ଛାତ୍ରୀ ଓ ଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ୨ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମିଳିଥିବା ସୁଚନା ମୁତାବକ, ଆନ୍ଧ୍ରପ୍ରଦେଶର ଆଲୁରି ଜିଲାର ତରଙ୍ଗିନୀ ଜଳପ୍ରପାତକୁ ଏଲୁର ମେଡିକାଲ କଲେଜର ୧୩ଜଣ ଛାତ୍ରୀଛାତ୍ର ବୁଲିବାକୁ ଆସିଥିଲେ। ତେବେ ସମସ୍ତେ ଜଳପ୍ରପାତ ନିକଟରେ ବସିଥିବା ବେଳେ ହଠାତ୍‌ ପ୍ରଖର ସ୍ରୋତ ମାଣି ଆସିବାରୁ ସ୍ରୋତରେ ୪ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ଭାସି ଯାଇଥିଲେ। ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତିନିଜଣ ନିଖୋଜ ହୋଇଯାଇଥିଲେ। ଉଦ୍ଧାର ବେଳେ ଦୁଇଜଣ ଛାତ୍ରୀଙ୍କ ମୃତଦେହ ମିଳିଛି। ବର୍ତ୍ତମାନ ସୁଦ୍ଧା ଜଣେ ଛାତ୍ରୀ ନିଖୋଜ ଥିବା ଜଣାପଡିଛି। ଉଦ୍ଧାର ହୋଇଥିବା ଦୁଇଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଏହି ଘଟଣା ରବିବାର ସନ୍ଧ୍ୟାରେ ଘଟିଥିଲା।

Share