Categories: ଜାତୀୟ

କୁକୁଡ଼ା ଚୋରି ସନ୍ଦେହରେ ନାବାଳକଙ୍କୁ ମିଳିଲା ଏଭଳି ଦଣ୍ଡ: ଭାଇରାଲ ହେଲା ଭିଡିଓ

ଲକ୍ଷ୍ନୌ,୭ା୮: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଫାର୍ମରୁ କୁକୁଡ଼ା ଚୋରି ସନ୍ଦେହରେ ୨ ନାବାଳକଙ୍କୁ ଫାର୍ମ ମାଲିକ ଓ କେତେଜଣ ବ୍ୟକ୍ତି ମାଡ଼ ମାରି ପରିସ୍ରା ପିଆଇଛନ୍ତି। ଏପରିକି ସେମାନଙ୍କ ହାତ ବାନ୍ଧି ତଳେ ଶୁଆଇ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଘଷିଥିଲେ।
ଭିଡିଓ ଭାଇରାଲ ହେବା ପରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ୨ ଜଣଙ୍କୁ ଖୋଜୁଛି। ଜିଲାର କେତେଜଣ କଲେଜ ପିଲାଙ୍କ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଏହି ଭିଡିଓ ଭାଇରାଲ ହୋଇଥିଲା। ଏହି ଗ୍ରୁପ୍‌ରେ ଥିବା ଜଣେ କନ୍‌ଷ୍ଟେବଲ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ପରେ ସାଇବର ୟୁନିଟ୍‌ ନେତୃତ୍ୱରେ ପୋଲିସ ଟିମ୍‌ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଭିଡିଓ ଦେଖାଇବା ପରେ କୁକୁଡ଼ା ଫାର୍ମ ମାଲିକ ମହମ୍ମଦ ସୁଦ୍‌ ଘଟଣାକୁ ସ୍ବୀକାର କରିଥିଲେ। ଗତ ଗୁରୁବାର ସେ ଗ୍ରାହକଙ୍କୁ କୁକୁଡ଼ା ବିକୁଥିବା ବେଳେ ୧୦ ଓ ୧୪ ବର୍ଷର ଦୁଇଜଣ ପିଲା ତାଙ୍କ ଫାର୍ମରେ ଚୋରି କରିବାକୁ ପଶିଥିଲେ ବୋଲି କହିଛନ୍ତି। ଫାର୍ମର ଲୋକମାନେ ସେମାନଙ୍କୁ ଗୋଡ଼ାଇ ଧରିଥିଲେ। ସେମାନଙ୍କୁ ଆମେ ଉପଯୁକ୍ତ ଶିକ୍ଷା ଦେବାକୁ ଚାହିଁଥିଲୁ ବୋଲି ଫାର୍ମ ମାଲିକ ସୁଦ୍‌ ପୋଲିସକୁ କହିଛନ୍ତି।

Share