Categories: ଜାତୀୟ

ମାଇକ୍ରୋଓଭେନରୁ ମିଳିଲା ଶିଶୁକନ୍ୟାର ମୃତଦେହ

ନୂଆଦିଲ୍ଲୀ,୨୨।୩: ଦକ୍ଷିଣ ଦିଲ୍ଲୀର ଚିରାଗ ଦିଲ୍ଲୀ ଅଞ୍ଚଳରେ ଏକ ୨ ମାସର ଶିଶୁକନ୍ୟା ମୃତଦେହ ମାଇକ୍ରୋଓଭେନ ଭିତରୁ ଉଦ୍ଧାର କରାଯାଇଛି। ଦକ୍ଷିଣ ଦିଲ୍ଲୀ ଡିସିପି ବେନିତା ମାରି ଜେକର କହିଛନ୍ତି, ଶିଶୁକନ୍ୟାର ମୃତ୍ୟୁ ସମ୍ପର୍କରେ ଆମକୁ ଅପରାହ୍ନ ପ୍ରାୟ ୩ଟା ୧୫ରେ ଖବର ମିଳିଥିଲା। ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ଏକ ହତ୍ୟା ମାମଲା ରୁଜୁ କରି ସମସ୍ତ ସମ୍ଭାବନାର ଯାଞ୍ଚ କରାଯାଉଛି। ମୃତ ଶିଶୁକନ୍ୟାର ବାପା ଗୁଲଶନ କୌଶିକ ଏବଂ ମା’ ଡିମପଲ କୌଶିକଙ୍କୁ ଥାନାରେ ପଚରାଉଚରା କରାଯାଉଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଶିଶୁକନ୍ୟାର ମା’ଙ୍କ ଉପରେ ସନ୍ଦେହ ଘନିଭୂତ ହୋଇଛି। ଶିଶୁକନ୍ୟା ଜନ୍ମ ହେବାରୁ ସେ ଦୁଃଖିତ ଥିଲେ। ସେମାନଙ୍କର ଏକ ୪ ବର୍ଷର ପୁଅ ମଧ୍ୟ ରହିଛି।

ନବଜାତଙ୍କ ମୃତ୍ୟୁ ସମ୍ପର୍କରେ ଜଣେ ପଡ଼ୋଶୀ ପୋଲିସକୁ ଫୋନ କରି କହିଥିଲେ, ଶିଶୁକନ୍ୟାର ମା’ ଭିତର ପଟୁ ଘର ବନ୍ଦ କରି ଦେଇଥିଲେ। କାଛ ଭାଙ୍ଗି ଘରେ ପଶିବା ପରେ ମହିଳା ତାଙ୍କ ପୁଅଙ୍କ ସହ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲୁ। କିନ୍ତୁ ଶିଶୁକନ୍ୟାଙ୍କ ପତ୍ତା ମିଳି ନ ଥିଲା। ଅନନ୍ୟାଙ୍କ ଜେଜେମା ଏବଂ କିଛି ପଡ଼ୋଶୀ ପୂରା ଘର ଖୋଜିବା ପରେ ମାଇକ୍ରୋଓଭେନରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ।

Share