ନକଲି ମେଡିସିନ କାରବାର ମାମଲା: ଆଉ ୨ ଗିରଫ, ୮୦୦୦ ନକଲି ବଟିକା ଜବତ

କଟକ ଅଫିସ,୨୭ା୧୦: ନକଲି ମେଡିସିନ କାରବାର ମାମଲାରେ କଟକ ପୁରୀଘାଟ ଥାନା ପୋଲିସ ପୁଣି ୨ ଜଣଙ୍କୁ ବୁଧବାର ଗିରଫ କରିଛି। ସେମାନେ ହେଲେ କ୍ୟାଲ ଏଜେନ୍ସିର ଶିବ କୁମାର କ୍ୟାଲ ଓ ମହାବୀର ପ୍ରସାଦ ରାଧେଶ୍ୟାମ ଏଜେନ୍ସିର ମହେନ୍ଦ୍ର କୁମାର ମୋଦି। ସେମାନଙ୍କଠାରୁ ୮ ହଜାରରୁ ଅଧିକ ନକଲି ଟେଲ୍‌ମା-୪୦ ଓ ଟେଲ୍‌ମା-ଏଏମ୍‌ ବଟିକା ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଦ୍ୱୟ ଗ୍ଲେନ୍‌ମାର୍କ କମ୍ପାନୀର ସ୍ବୀକୃତିପ୍ରାପ୍ତ ଷ୍ଟକିଷ୍ଟ। ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଟେଲ୍‌ମା-୪୦ ଓ ଟେଲ୍‌ମା-ଏଏମ୍‌ ନକଲି ମେଡିସିନ୍‌ କାରବାର ଅଭିଯୋଗରେ ଗିରଫ ହୋଇଥିବା କଟକ ଜାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାନଙ୍କୁ ପୋଲିସ ଜେରାବେଳେ ତାଙ୍କଠାରୁ ବହୁ ତଥ୍ୟ ହସ୍ତଗତ ହୋଇଥିଲା। ଏଥିସହ ଉପରୋକ୍ତ ମେଡିସିନ ଦୁଇଟିକୁ ସ୍ବୀକୃତିପ୍ରାପ୍ତ ଭାବେ ଗ୍ଲେନମାର୍କ କମ୍ପାନୀ ତିଆରି କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଉକ୍ତ କମ୍ପାନୀର ବିଜିନେସ ନିୟମ ଅନୁସାରେ କମ୍ପାନୀର ଅନୁମୋଦିତ ସି ଆଣ୍ଡ୍‌ ଏଫ୍‌ ଏଜେଣ୍ଟଙ୍କଠାରୁ କେବଳ ମେଡିସିନ କିଣିପାରିବେ। ମାତ୍ର କ୍ୟାଲ୍‌ ଏଜେନ୍ସି ଓ ମହାବୀର ପ୍ରସାଦ ରାଧେଶ୍ୟାମ ଉକ୍ତ କମ୍ପାନୀ ନିୟମକୁ ନ ମାନି ଅଧିକ ଲାଭ ପାଇବା ଲାଗି ଜାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜର୍ସଠାରୁ ନକଲି ଟେଲ୍‌ମା-୪୦ ଓ ଟେଲ୍‌ମା-ଏଏମ୍‌ କିଣୁଥିଲା। ଏହାକୁ ଅସଲି ମେଡିସିନ ଦରରେ ବିକ୍ରି କରୁଥିଲା। ଏ ସମ୍ପର୍କରେ ଜଣାପଡିବା ପରେ କଟକର ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ସର୍କଲ-୧ ଏହି ଦୁଇ ଏଜେନ୍ସି ଉପରେ ଚଢ଼ାଉ କରି ନକଲି ମେଡିସିନ ଜବତ କରିଥିଲେ।
ଅପରପକ୍ଷରେ ନକଲି ମେଡିସିନର ପ୍ରସ୍ତୁତକର୍ତ୍ତାଙ୍କୁ ଧରିବା ପାଇଁ ପୋଲିସ ଯୋଜନା ଫଳବତୀ ହୋଇପାରିନାହିଁ। ଡିସିପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ, ନକଲି ମେଡିସିନର ପ୍ରସ୍ତୁତକର୍ତ୍ତାଙ୍କୁ ଧରିବା ପାଇଁ ପୁରୀଘାଟ ପୋଲିସର ଏକ ଟିମ୍‌ ବିହାରରେ ୭ ଦିନ ରହି କ୍ୟାମ୍ପ କରିଥିଲା। ବିହାରର ଡ୍ରଗ୍ସ କଣ୍ଟ୍ରୋଲର ଓ ପୋଲିସ ସହଯୋଗରେ ବିଭିନ୍ନ ତଥ୍ୟ ହସ୍ତଗତ ହୋଇଛି। ହେଲେ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚତ୍ବା ସମ୍ଭବ ହୋଇନାହିଁ। ପୋଲିସ ନଜରରୁ ସେ ଚତୁରତାର ସହ ଖସିଯିବାକୁ ସକ୍ଷମ ହୋଇଛନ୍ତି। ତଥାପି ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚତ୍ବା ପାଇଁ ପୋଲିସର ଯୋଜନା ରହିଛି। ବିଭିନ୍ନ ଲିଙ୍କ୍‌କୁ ଆଧାର କରି ବରିଷ୍ଠ ପୋଲିସ ଅଧିକାରୀମାନେ ଗମ୍ଭୀରତାର ସହ ମାମଲାର ତଦାରଖ କରୁଛନ୍ତି। ଖୁବ୍‌ଶୀଘ୍ର ସେମାନେ ଧରାପଡ଼ିବେ ବୋଲି ଡିସିପି କହିଛନ୍ତି।

Share