ନକଲି ଜମି ମାଲିକାଣୀଙ୍କ ସମେତ ଆଉ ୨ ଗିରଫ

ଭୁବନେଶ୍ୱର,୩୦।୯(ସତ୍ୟଜିତ୍‌ ରାଉତ): ଜାଲିଆତି କରି ଅନ୍ୟଜଣଙ୍କ ଜମିକୁ ବିକ୍ରି କରୁଥିବା ଏକ ର଼୍ୟାକେଟର ଆଉ ୨ଜଣଙ୍କୁ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଗିରଫ କରିଛି। ସେମାନେ ହେଲେ ନକଲି ଜମି ମାଲିକାଣୀ କଟକ ଜଲା ଚୌଦ୍ୱାର ଥାନା ଅନ୍ତର୍ଗତ କପିଳେଶ୍ୱର ଅଞ୍ଚଳର ସୁଶୀଳା ପଟ୍ଟନାୟକ ଓ ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳର ଅରୂପ କୁମାର ହାଲ୍‌ଦାର୍‌। ଉଭୟଙ୍କଠାରୁ ଜାଲ୍‌ ଦସ୍ତାବିଜ୍‌, ଷ୍ଟାମ୍ପ୍‌, ବ୍ୟାଙ୍କ ପାସ୍‌ବୁକ୍‌ ଆଦି ଜବତ କରାଯାଇଛି। ଅଭିଯୁକ୍ତଦ୍ୱୟଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଗତ ସେପ୍ଟେମ୍ବର ୪ରେ ଖଣ୍ଡଗିରି ସବ୍‌-ରେଜିଷ୍ଟ୍ରାର୍‌ ଅଫିସ୍‌ର କିରାଣି ସଞ୍ଜୟ କୁମାର ଷଡ଼ଙ୍ଗୀଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଗିରଫ ସଂଖ୍ୟା ଏବେ ୭କୁ ବୃଦ୍ଧି ପାଇଥିବାବେଳେ ଏହି ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅଭିଯୁକ୍ତମାନେ ୨୦୧୯ରେ ଚନ୍ଦକା ପାଇକରପୁର ମୌଜାରେ ଥିବା ଗଞ୍ଜାମର ସଂଯୁକ୍ତା ପାଣିଗ୍ରାହୀଙ୍କ ଜମିକୁ ତାଙ୍କ ଅଜାଣତରେ ଜାଲ୍‌ କାଗଜପତ୍ର ମାଧ୍ୟମରେ ୨ଜଣ ମହିଳାଙ୍କୁ ୬୦ ଲକ୍ଷ ଟଙ୍କାରେ ବିକ୍ରି କରି ଟଙ୍କାକୁ ବାଣ୍ଟି ନେଇଥିଲେ। ଏନେଇ ଜମି ମାଲିକ ସଂଯୁକ୍ତା ଭୁବନେଶ୍ୱର ଜେଏମ୍‌ଏଫ୍‌ସି କୋର୍ଟରେ ଅଭିଯୋଗ କରିବାରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚନ୍ଦକା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ଏହାଏକ ବଡ଼ଧରଣର ଜମି ଠକେଇ ର଼୍ୟାକେଟ ହୋଇଥିବାବେଳେ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ଜଣାପଡିଥିଲା। ଏହାପରେ ଏହି ମାମଲାର ତଦନ୍ତ ଭାର ସ୍ପେଶାଲ କ୍ରାଇମ ୟୁନିଟ୍‌ ନେବା ସହ ଏକ ମାମଲା (ନଂ.୭/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ସୁଶୀଳାଙ୍କୁ ସଞ୍ଜୁକ୍ତା ଦର୍ଶାଇ ପୁଷ୍ପଲତା ସ୍ବାଇଁ ଏବଂ କମଳା ସ୍ବାଇଁଙ୍କୁ ବିକ୍ରି କରି ଦେଇଥିଲେ। ପୁଷ୍ପଲତାଙ୍କ ସ୍ବାମୀ ଚିନ୍ମୟ ଜାଗା ଦଖଲ କରିବାକୁ ଯିବାବେଳେ ଠକେଇ ଘଟଣା ପଦାକୁ ଆସିଥିଲା।

Share