Categories: ଜାତୀୟ

ସୁପ୍ରିମକୋର୍ଟରେ ଆଉ ୨ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ,୧୧।୨: କେନ୍ଦ୍ର ସରକାର ଶୁକ୍ରବାର ଦୁଇ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପ୍ରଦାନ କରିଛନ୍ତି। ଫଳରେ ୯ ମାସ ପରେ ସର୍ବୋଚ୍ଚ ଅଦାଲତ ଏହାର ପୂର୍ଣ୍ଣ ସାମର୍ଥ୍ୟ ୩୪ ବିଚାରପତି ପ୍ରାପ୍ତ ହୋଇଛି। ନୂଆ ବିଚାରପତି ନିଯୁକ୍ତି ସମ୍ପର୍କରେ ଆଇନମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍‌ କରି ଘୋଷଣା କରିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର ସୁପ୍ରିମକୋର୍ଟ ବିଚାରପତି ଭାବେ ଦୁଇଦିନ ମଧ୍ୟରେ ଶପଥ ଗ୍ରହଣ କରିବେ। ଜାନୁୟାରୀ ୩୧ରେ ସୁପ୍ରିମକୋର୍ଟ କଲେଜିୟମ ସେମାନଙ୍କ ନାମ ସୁପାରିସ କରିଥିଲେ। ଦୁଇ ମୁଖ୍ୟ ବିଚାରପତିଙ୍କ ପଦୋନ୍ନତି ପରେ ପ୍ରୀତିଙ୍କର ଦିଓ୍ବାକର ଏବଂ ସୋନିଆ ଗିରିଧର କୋଗନିଙ୍କୁ ଯଥାକ୍ରମେ ଆଲ୍ଲାହାବାଦ ଏବଂ ଗୁଜରାଟ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।

Share