ଆସୁଛି ଆଉ ୨ ଲଘୁଚାପ, ୭ରୁ ବର୍ଷା

ଭୁବନେଶ୍ୱର,୪ା୮(ବ୍ୟୁରୋ): ଗତ ସପ୍ତାହେ ଧରି ରାଜ୍ୟରୁ ବର୍ଷା ଉଭାନ ହୋଇଯାଇଛି। ବିଲ ଫାଟି ଆଁ କଲାଣି। ଆସନ୍ତା ସପ୍ତାହେ ଭିତରେ ବର୍ଷା ନ ହେଲେ ଗଜାମରୁଡ଼ି ଭଳି ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି। ମାତ୍ର ଚାଷୀମାନଙ୍କ ପାଇଁ ଆଶ୍ୱସ୍ତି ଖବର ଆସୁଛି। ଆସନ୍ତା ୬ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ଅବପାତ(ଡିପ୍ରେସନ) ଏପରି କି ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୭ରୁ ୧୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୮ ତାରିଖ ଦୁଇଦିନ ଧରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ୯ ଏବଂ ୧୦ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଦୁର୍ବଳ ହେବା ପରେ ଆସନ୍ତା ୧୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଛି।

Share