ଭୁବନେଶ୍ୱର,୨।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସ଼ମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ପାଣିପାଗ ବିଜ୍ଞାନୀଙ୍କ ସୂଚନାନୁଯାୟୀ, ପ୍ରଥମ ଲଘୁଚାପଟି ଆସନ୍ତା ୮ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ। ସେହିପରି ଦ୍ୱିତୀୟ ଲଘୁଚାପଟି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେଥିପାଇଁ ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରେ ଆସନ୍ତା ୫ ତାରିଖରୁ ବର୍ଷାର ପରିମାଣ ବଢ଼ିପାରେ। ଅନ୍ୟପଟେ, ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି।