Advertisement

ଭାରତରେ ନୂଆ ପ୍ରଜାତିର ଏଣ୍ଡୁଅ ଆବିଷ୍କୃତ: ଗବେଷଣା ଟିମ୍‌ରେ ୨ ଓଡ଼ିଆ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଭାରତରେ ଏକ ନୂଆ ପ୍ରଜାତିର ଏଣ୍ଡୁଅ ଆବିଷ୍କୃତ ହୋଇଛି। ଏହି ନୂଆ ପ୍ରଜାତି ଏଣ୍ଡୁଅର ନାମକରଣ ଓଡ଼ିଶାର ବିଖ୍ୟାତ ହରପେଟୋଲୋଜିଷ୍ଟ ପ୍ରଫେସର ସୁଶୀଲ ଦତ୍ତଙ୍କ ନାମ ଅନୁସାରେ ରଖାଯାଇଛି। ଏହି ନୂଆ ପ୍ରଜାତି ଏଣ୍ଡୁଅର ବୈଜ୍ଞାନିକ ନାମ ସିଟାନା ସୁଶିଲି ରଖାଯାଇଛି। ଭାରତର ୪ଟି ରାଜ୍ୟରେ ଯଥା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଏହି ନୂଆ ପ୍ରଜାତିର ଏଣ୍ଡୁଅକୁ ଗବେଷକମାନେ ଦେଖିଛନ୍ତି। ବିଶିଷ୍ଟ ଟାକ୍ସୋନୋମି ଜର୍ନାଲ ଜୁଟାକ୍ସାରେ ଶୁକ୍ରବାର ଏହି ଗବେଷଣା ପ୍ରକାଶିତ ହୋଇଛି। ଭାରତ, ଜର୍ମାନୀ ଓ ଇଂଲଣ୍ଡର ୫ ଜଣ ଗବେଷକ ଏହି ନୂଆ ପ୍ରଜାତିକୁ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ଇଂଲଣ୍ଡର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଏବଂ ଜର୍ମାନୀ ମ୍ୟୁଜିୟମ, ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଡେରାଡୁନର ୱାଇଲ୍ଡ୍‌ଲାଇଫ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଏବଂ ମଧ୍ୟପ୍ରଦେଶର ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ମିଳିତ ଗବେଷଣାରୁ ଏହି ସଫଳତା ମିଳିଛି। ଏଥିପାଇଁ ଗବେଷକମାନେ ଏଣ୍ଡୁଅର ଡିଏନ୍‌ଏ ଟେଷ୍ଟ ମଧ୍ୟ କରିଥିଲେ। ଏହି ସିଟାନା ସୁଶିଲି ଏକ କ୍ଷୁଦ୍ର ଏଣ୍ଡୁଅ ଯାହାର ସର୍ବାଧିକ ଏସ୍‌ଭିଏଲ ଲମ୍ବ ୪୮ମି.ମି. ହୋଇଥାଏ। ଏହାର ମୁଣ୍ଡ ବାଦାମୀ ରଙ୍ଗର ହେବା ସହ ଆଖି ପଛରୁ ଆରମ୍ଭ ହୋଇଥିବା ଏକ ଗାଢ଼ ବାଦାମୀ ଅନିୟମିତ ରେଖା ଲମ୍ବିଥାଏ। ଏହି ଗବେଷକ ଟିମରେ ୨ଜଣ ଓଡ଼ିଆ ଅଛନ୍ତି। ସେମାନେ ହେଲେ ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ନୀଳାଦ୍ରି ଭୂଷଣ କର ଏବଂ ମଧ୍ୟପ୍ରଦେଶସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଡ. ପ୍ରତ୍ୟୁଷ ପି. ମହାପାତ୍ର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share