ହୀରାକୁଦ ଡ୍ୟାମ୍‌ରେ ବୁଡିଯାଇ ୨ ଅଧିକାରୀ ନିଖୋଜ, ଜଣେ ଉଦ୍ଧାର

ସମ୍ବଲପୁର,୭ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ କର୍ମଚାରୀ ନିଖୋଜ ଅଛନ୍ତି। ସେମାନେ ହେଲେ ମହେଶ ଛିତୋରୀ( ୪୦) ଓ ଅଭିଷେକ କୁମାର( ୪୫) । ତେବେ ନିକଟରେ ଥିବା ଓ୍ବାଟର ସ୍ପୋଟର୍‌ସ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଅନ୍ୟଜଣେ ଅଧିକାରୀ ଅବିନାଶ ରାୟ ବର୍ତ୍ତି ଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ସିଏଲ୍‌ ଅଧିକାରୀମାନେ ହୀରାକୁଦ ଜଳଭଣ୍ଡାର ବୁଲିବାକୁ ଆସିଥିଲେ । ସନ୍ଧ୍ୟା ପ୍ରାୟ ୫ଟାରେ ଝାଙ୍କରାଣୀପୀଠ ନିକଟରେ କାର୍‌ ରଖିଥିଲେ । ପରେ ୩ ଜଣ ଅଧିକାରୀ ଡ୍ୟାମ୍‌ ଭିତରକୁ ଗାଧୋଇବାକୁ ଯାଇଥିଲେ । ଗୋଡ ଖସିଯିବାରୁ ସେମାନେ ଗଭୀର ପାଣିରେ ବୁଡି ଯାଇଥିଲେ । ଅଧିକାରୀମାନଙ୍କ ଚିତ୍କାର ଶୁଣି ନିକଟରେ ଥିବା ୱାଟର ସ୍ପୋଟର୍‌ସ କର୍ମଚାରୀ ବୋଟ୍‌ରେ ଆସି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅବିନାଶଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମହେଶ ଓ ଅଭିଷେକ ନିଖୋଜ ଅଛନ୍ତି । ଖବରପାଇ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍‌ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ରାତି ହେବା ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି । ସୋମବାର ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ହୀରାକୁଦ ଏସ୍‌ଡିପିଓ ଏସ୍‌.ଦାସ ସୂଚନା ଦେଇଛନ୍ତି ।

Share