ରାଜ୍ୟ ସାରା ବୁଲିିବୁଲି ଲୁଟୁଥିଲେ

ଝାରସୁଗୁଡ଼ା ଅଫିସ,୯ା୯: ଝାରସୁଗଡ଼ା ପୋଲିସ ୨ ଆନ୍ତଃ ଜିଲା ଲୁଟେରାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜଗତ୍‌ସିଂହପୁର ଜିଲା ଏରସମା ଥାନା ବତୀଗାଁର ବିକ୍ରମ ବିଶ୍ୱାଳ(୩୫) ଓ ଢେଙ୍କାନାଳ ଚାନ୍ଦମାରୀ ସାହିର ଅଜୟ ବେହେରା(୪୬)। ଏମାନଙ୍କ ନିକଟରୁ ୨୦ଗ୍ରାମର ଲୁଟ୍‌ ସୁନା ହାର, ଓଡି୦୨ବିଏନ୍‌-୦୫୭୩ ବ୍ୟବହୃତ ବାଇକ୍‌ ଓ ୨ ମୋବାଇଲ ପୋଲିସ ଜବତ କରିଛି। ଲୁଟ୍‌ର ଶିକାର ହୋଇଥିବା ଶିକ୍ଷୟିତ୍ରୀ ବୈଜୟନ୍ତୀ ପଟେଲଙ୍କ ଅଭିଯୋଗକୁ ଭିତ୍ତିକରି ଝାରସୁଗୁଡା ଟାଉନ ଥାନାରେ ପୋଲିସ ଏକ ମାମଲା (ନଂ୪୫୦/୨୧) ରୁଜୁ କରିଛି।
ଏସ୍‌ପି ବିକାଶ ଚନ୍ଦ୍ର ଦାସ ଖବରଦାତା ସମ୍ମିଳନୀରେ କହିଛନ୍ତି, ଗତ ବୁଧବାର ଭଷ୍ମା ହାଇସ୍କୁଲ ଶିକ୍ଷୟିତ୍ରୀ ପଟେଲ ସ୍କୁଟିରେ ଯାଉଥିବାବେଳେ ୨ ଯୁବକ ବାଇକ୍‌ରେ ଆସି ତାଙ୍କୁ ଝାରସୁଗୁଡା ରାସ୍ତା ପଚାରିଥିଲେ। ଏହି ସମୟରେ ସେ ସ୍କୁଟି ଅଟକାଇବା ପରେ ହଠାତ୍‌ ବାଇକ୍‌ ପଛରେ ବସିଥିବା ଯୁବକ ତାଙ୍କ ବେକରୁ ହାର ଛିଣ୍ଡାଇ ଫେରାର୍‌ ହୋଇଯାଇଥିଲେ। ଶିକ୍ଷୟିତ୍ରୀ ପାଟି କରିବାରୁ ସ୍ଥାନୀୟ ଲୋକେ ଜମା ହୋଇ ପୋଲିସ୍‌କୁ ଜଣାଇଥିଲେ। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ସେମାନଙ୍କୁ ରେଳଫାଟକ ନିକଟରେ ଧରିଥିଲା। ଅଭିଯୁକ୍ତ ଦ୍ୱୟ କଟକ, ଢେଙ୍କାନାଳ ଆଦି ଜିଲାରେ ଲୁଟ୍‌ କରିଥିବା ଜଣାପଡିଛି। ରାଜ୍ୟର ବିଭିନ୍ନ ଥାନାରେ ଏମାନଙ୍କ ନାମରେ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ଏମାନେ ବସ୍‌ରେ ବାଇକ୍‌ ବୋଝେଇକରି ବିଭିନ୍ନ ସ୍ଥାନକୁ ଯାଇ ଲୁଟ୍‌କରି ପୁଣି ଅନ୍ୟ ସ୍ଥାନକୁ ଫେରାର୍‌ ହୋଇଯାଇଥାନ୍ତି।