Categories: ଜାତୀୟ

ଦୁର୍ଘଟଣାରୁ ବର୍ତ୍ତିଲା ୨ ବିମାନ

ନୂଆଦିଲ୍ଲୀ,୨୪ା୮ : ଦିଲ୍ଲୀ ବିମାନବନ୍ଦରରେ ବୁଧବାର ଅପରାହ୍ନରେ ଭିସ୍ତାରା ଏୟାରଲାଇନ୍ସର ଦୁଇଟି ବିମାନ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଉଭୟ ବିମାନରେ ପ୍ରାୟ ୩୦୦ ଯାତ୍ରୀ ଥିଲେ। ଅହମ୍ମଦାବାଦରୁ ଆସିଥିବା ବିମାନର ମହିଳା ପାଇଲଟ୍‌ଙ୍କ ସତର୍କ ପଦକ୍ଷେପ ପାଇଁ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି। ଖବର ଅନୁଯାୟୀ ଅହମ୍ମଦାବାଦ-ଦିଲ୍ଲୀ ବିମାନ ଅବତରଣ କରିବା ପରେ ଏହାକୁ ପାର୍କିଂ ବେ’ରେ ପହଞ୍ଚତ୍ବା ଲାଗି ଚଳଚଞ୍ଚଳ ରନ୍‌ଓ୍ବେ ଅତିକ୍ରମ କରିବା ସକାଶେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ନିର୍ଦ୍ଦେଶ ଦେଇଥିଲା।

ଠିକ୍‌ ସେହି ସମୟରେ ଭିସ୍ତାରା ଏୟାରଲାଇନ୍ସର ଦିଲ୍ଲୀ-ବାଗଡୋଗ୍ରା ବିମାନକୁ ସେହି ରନ୍‌ଓ୍ବେରେ ଉଡ଼ାଣ ଭରିବା ଲାଗି ଅନୁମତି ଦିଆସରିଥିଲା। ଅହମ୍ମଦାବାଦ-ଦିଲ୍ଲୀ ବିମାନର ୪୫ ବର୍ଷୀୟ କ୍ୟାପ୍‌ଟେନ ସୋନୁ ଗିଲ୍‌ଙ୍କ ପାଇଁ ଦୁର୍ଘଟଣାକୁ ଏଡ଼ାଯାଇପାରିଛି। ଦୁଇ ବିମାନ ମଧ୍ୟରେ ଦୂରତା ମାତ୍ର ୧,୮୦୦ ମିଟର ଥିଲା। ପାଇଲଟ୍‌ ଅନ୍ୟ ବିମାନର ଉପସ୍ଥିତି ସମ୍ପର୍କରେ ଏଟିସିକୁ ସତର୍କ କରାଇ ନ ଥିଲେ ପରିଣାମ ଭୟାବହ ହୋଇଥାନ୍ତା।

Share