Categories: ଅପରାଧ

ଜେଲ୍‌ ପାଚେରୀ ଡେଇଁ ପଳାଇଲେ ୨ କଏଦୀ; କମ୍ବଳ କାଟି ତିଆରି କରିଥିଲେ ରଶି

ଭୋପାଳ, ୧୩।୯: ମଧ୍ୟପ୍ରଦେଶର ଦେବାସ ଜେଲରୁ ୨ଜଣ ବିଚାରଧୀନ କଏଦୀ ଫେରାର୍‌ ହୋଇଯାଇଛନ୍ତି। ଏହି ଦୁଇଜଣ କଏଦୀ ଫେରାର୍‌ ହେବା ଲାଗି ପ୍ରଥମେ ପାଖରେ ଥିବା କମ୍ବଳ କାଟି ରଶି ତିଆରି କରିଥିଲେ। ଏହାପରେ ସେମାନେ ସେହି ରଶି ସହାୟତାରେ ଜେଲ୍‌ ପାଚେରୀ ଡେଇଁ ଫେରାର୍‌ ହୋଇଯାଇଥିଲେ ବୋଲି ଜେଲ୍‌ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାର ଅତିରିକ୍ତ ପୋଲିସ ଅଧିକ୍ଷକ ସୂର୍ଯ୍ୟକାନ୍ତ ଶର୍ମା କହିଛନ୍ତି, ବାଗଲି ଉପ-କାରାଗାରର ୨ଜଣ ବିଚାରଧୀନ କଏଦୀ ମୁକେଶ (୩୨ ବର୍ଷ) ଓ ଛୋଟେ ଲାଲ୍‌ (୨୨) କମ୍ବଳ କାଟି ରଶି ତିଆରି କରିଥିଲେ। ଏହାପରେ ଶନିବାର ସନ୍ଧ୍ୟାରେ ଜେଲ୍‌ ପାଚେରୀ ଡେଇଁ ଫେରାର୍‌ ହୋଇଯାଇଥିଲେ। ମୁକେଶ ବେଆଇନ ମଦ ଚାଲାଣ ମାମଲାରେ ଅଗଷ୍ଟ ୨୧ରୁ ଜେଲ୍‌ରେ ଥିଲା। ସେହିଭଳି ଏକ ବଳାତ୍କାର ମାମଲାରେ ଛୋଟେ ଲାଲ୍‌ ୨୬ ଅଗଷ୍ଟରୁ ବିଚାରଧୀନ କଏଦୀ ଭାବେ ଏହି ଜେଲ୍‌ରେ ରହି ଆସୁଥିଲା। ଉଭୟଙ୍କୁ ଧରିବା ଲାଗି ପୋଲିସ ଅଲଗା ଅଲଗା ଟିମ୍‌ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।