ଜେଲରୁ ୨ କଏଦୀ ଫେରାର

ଆର.ଉଦୟଗିରି,୨୮।୨(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ସବ୍‌ଜେଲରୁ ଶନିବାର ୨ କଏଦୀ ଚମ୍ପଟ୍‌ ମାରିଥିଲେ। ସେମାନେ ହେଲେ ଅଡ଼ବା ଗ୍ରାମର କରୁଣାକର ଗମାଙ୍ଗ ଏବଂ ପୁରୀ ଜିଲା ବ୍ରହ୍ମଗିରିର ଶରତ କୁମାର ଦେଓ। ଗଞ୍ଜେଇ ଚାଲାଣ ମାମଲା ନଂ. ୫୬/୨୦ ଅନୁଯାୟୀ ଗିରଫ ହୋଇଥିବା ଅଭିଯୁକ୍ତମାନେ ପାରଳାଖେମୁଣ୍ଡି ଜେଲରେ ରହୁଥିଲେ। ଜାନୁୟାରୀ ୧୭ରେ ସେମାନଙ୍କୁ ଆର.ଉଦୟଗିରି ସବ୍‌ଜେଲକୁ ଅଣାଯାଇଥିଲା। ସକାଳେ ସବ୍‌ଜେଲ ନିକଟ ଏସ୍‌ଡିପିଓ ଅଫିସରେ କାମ କରୁଥିବା ଜଣେ ହୋମଗାର୍ଡ ଦୁଇ ଅଭିଯୁକ୍ତ କାନ୍ଥ ଡେଇଁ ପଳାଇଥିବା ଜେଲ ଅଧିକାରୀଙ୍କୁ ଜଣାଇଥିଲେ। ପରେ ଜେଲ ଅଧିକାରୀ ଷ୍ଟାଫଙ୍କୁ ଧରି ଶରତଙ୍କୁ ତୁମନ ନିକଟସ୍ଥ ଗ୍ରାମ ଜଙ୍ଗଲରୁ ଧରିଥିଲେ। ଅଭିଯୁକ୍ତମାନେ ଶିଡ଼ି ପକାଇ ଡେଇଁ ପଳାଇଥିଲେ ବୋଲି ଜେଲ ସୁପରିଣ୍ଟେଣ୍ଡେଣ୍ଟ କେଦାର ନାଥ ବେହେରା ସୂଚନା ଦେଇଛନ୍ତି। ଆର.ଉଦୟଗିରି ପୋଲିସ ନଂ. ୩୪/୨୧ରେ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଥିବା ଥାନାଧିକାରୀ ମମତା ନାୟକ ପ୍ରକାଶ କରିଛନ୍ତି।