ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା ବେଳେ ଧରିଲା ବନ ବିଭାଗ, ୨ କୋର୍ଟ ଚାଲାଣ

ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୋମା ପକାଇ ବାର୍‌ହା ଶିକାର କରି ବଣମହୁଲଡିହା ଗ୍ରାମର ଲିତୁ ମୁଣ୍ଡାଙ୍କ ଘରେ ମାଂସ କାଟି ଭାଗବଣ୍ଟା କରୁଥିବା ସମୟରେ ବନ ବିଭାଗ କର୍ମଚାରୀ ଖବର ପାଇ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୨ ବ୍ୟକ୍ତି ହେଉଛନ୍ତି ଡୁମୁରିଆ ପଞ୍ଚାୟତ ବଣ ମହୁଲଡିହା ଗ୍ରାମର ଭୀମ ମୁଣ୍ଡା ଓ ରାଉତ ମୁଣ୍ଡା। ବାର୍‌ହା ଶିକାର କରିଥିବା ମୁଖ୍ୟ ଅଭିଯୁକ୍ତ ଲିତୁ ମୁଣ୍ଡାଙ୍କ ସହ ଆଉ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏମାନଙ୍କଠାରୁ ବନ ବିଭାଗ ୫ କିଲୋଗ୍ରାମରୁ ଊର୍ଦ୍ଧ୍ୱ ବାର୍‌ହା ମାଂସ ଜବତ କରିବା ସହ ଏକ ପନିକି ଓ ଟାଙ୍ଗିଆ ଜବତ କରିଛି। ଏହି ଚଢ଼ାଉରେ ବନପାଳ ପିଅନ ନାଏକ, ଗାର୍ଡ ଦେବଯାନୀ ମହାନ୍ତ ଓ ପାରାଷ୍ଟାଫ୍‌ ସାମିଲ ହୋଇଥିଲେ ବୋଲି ରେଞ୍ଜର ବନ ବିହାରୀ ସର୍ଦ୍ଦାର କହିଛନ୍ତି।

Share