ଗୋଟିଏ ସୂଚନା ଫଳକରେ ୨ ପ୍ରକଳ୍ପର ନାମ

ବରୀ,୪।୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ବ୍ଲକ୍‌ରେ ବିଭିନ୍ନ ଉନ୍ନୟନ ମୂଳକ କାମରେ ଅନିୟମିତତା ହେବା ନୂଆ କଥା ନୁହେଁ। କେତେବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ରୋଗୀମାନେ କାମ କରୁଥିବା ଦର୍ଶାଇ ଅର୍ଥ ଆତ୍ମସାତ୍‌ ହୋଇଥିଲା । ଅଭିଯୋଗ ପରେ ବି ଏହା ଉପରେ ଜିଲା ଓ ବ୍ଲକ୍‌ ପ୍ରଶାସନ କୌଣସି ଗୁରୁତ୍ୱ ଦେଇ ନ ଥିଲେ। ଏବେ ଉକ୍ତ ବ୍ଲକ୍‌ ଗୋଳକୁଣ୍ଡ ପଞ୍ଚାୟତ ଅଧୀନ କଟଣା ଗ୍ରାମ୍ୟ ରାସ୍ତା ଉନ୍ନତିକରଣ ନିମନ୍ତେ ସରକାରଙ୍କ ତରଫରୁ ଅର୍ଥ ବିନିଯୋଗ କ୍ଷେତ୍ରରେ ଅନିୟମିତତା ହୋଇଥିବା ବରୀ ବିଡ଼ିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଗୋଟିଏ ସୂଚନା ଫଳକର ଦୁଇ ପାର୍ଶ୍ୱରେ ସରକାରୀ ଅନୁଦାନ ଖର୍ଚ୍ଚ କରାଯାଉଥିବା ଉଲ୍ଲେଖ ରହିଛି। ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କେତେଜଣ ବିଭାଗୀୟ ଯନ୍ତ୍ରୀ ଉକ୍ତ ଅଭିଯୋଗକୁ ଅଣଦେଖା କରିବା ସେମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, କାର୍ଯ୍ୟର ସୂଚନାଫଳକରେ ଉଲ୍ଲେଖ ଥିବା କାର୍ଯ୍ୟ ଖାତା ନଂ. ୫୨୪, ପ୍ଲଟ ନଂ. ୫୧୬୮, ୫୧୬୪ ସାବକ ଖାତା ନଂ. ୩୭୭, ପ୍ଲଟ୍‌ ନଂ. ୪୪୩୩, ୪୪୩୦ ଅଭିଯୋଗକାରୀ ପ୍ରତାପ ଜେନା ପିତା ନୃସିଂହ ଚରଣ ଜେନାଙ୍କ ନାମରେ ରହିଛି ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି। ହେଲେ କାର୍ଯ୍ୟାଦେଶ ଦିଆଯାଇଥିବା ସ୍ଥାନ ବା ଜମି ସରକାରୀ ଖାତାରେ ଅଛି କି ନାହିଁ, ସେହି ସ୍ଥାନଟି କାର୍ଯ୍ୟ ହେବା ପାଇଁ ଉପଯୋଗୀ କି ନୁହେଁ ସେହି ମର୍ମରେ ତହସିଲ ପ୍ରଶାସନ ତରଫରୁ ତଦନ୍ତ ପରେ ସ୍ବିକୃତୀ ପ୍ରଦାନ କରାଯାଇଥାଏ। ମାତ୍ର ବ୍ୟକ୍ତିଗତ ଜାଗାରେ ରାସ୍ତା ହେଉଥିବା ଏବଂ ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚ ଚଞ୍ଚକତା ଭାବେ ଆମର ବ୍ୟକ୍ତିଗତ ଜାଗାରେ କାମ କରିବା ସହ ଗୋଟିଏ ପ୍ରକଳ୍ପ ଦର୍ଶାଇ ଦୁଇଟି ପ୍ରକଳ୍ପର ମିଥ୍ୟା ବିଲ କରି ଅର୍ଥ ହାତେଇବାର ମସୁଧା କରୁଛନ୍ତି ବୋଲି ଅଭିଯୋଗକାରୀ ପ୍ରତାପ ଦର୍ଶାଇଛନ୍ତି। ଗୋଟିଏ ସୂଚନା ଫଳକରେ ୨ ପ୍ରକଳ୍ପର ନାମ ଲେଖା ଯିବା ଓ ଏହା ବ୍ୟକ୍ତିଗତ ଜାଗାରେ କାମ କରାଯିବା ପରେ ସେହି ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ମାପ ଚୁପ କରିବା ପରେ ବ୍ଲକ୍‌ ପ୍ରଶାସନର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଉକ୍ତ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ନେହେରୁ ବେହେରାଙ୍କ ମତାମତ ନେବାକୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇ ନ ଥିଲେ। ଅପରପକ୍ଷେ ସହକାରୀ ଯନ୍ତ୍ରୀ ସନ୍ଦୀପ ଦାସଙ୍କୁ ଯୋଗାଯୋଗ କରାଯାଇଥିଲା ହେଲେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ତାଙ୍କର ବି ମତାମତ ମିଳି ପାରିନାହିଁ।