୨ ରେଳ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର, ୨୦।୭(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ନୀଳଗିରି ରୋଡ୍‌ ଷ୍ଟେଶନ ନିକଟରେ ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍‌ ଲୁପ୍‌ଲାଇନ୍‌ ଭିତରକୁ ପଶି ଆସିବା ଘଟଣାରେ ରେଲଓ୍ବେ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ବୁଧବାର ୨ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନେ ନୀଳଗିରି ରୋଡ୍‌ ଷ୍ଟେଶନ୍‌ ମ୍ୟାନେଜର ସୁବାସ ସେଠୀ ଓ ପଏଣ୍ଟମ୍ୟାନ୍‌ ସେକ୍‌ ମହମ୍ମଦ ଖଲିପ ବୋଲି ଲୋକସମ୍ପର୍କ ବିଭାଗର ବରିଷ୍ଠ ଡିଭିଜିନାଲ ମ୍ୟାନେଜର ସୂଚନା ଦେଇଛନ୍ତି।
ମଙ୍ଗଳବାର ଭଦ୍ରକରୁ ବାଲେଶ୍ୱର ଆସୁଥିବା ମେମୁ ଟ୍ରେନ ନୀଳଗିରି ରୋଡ଼ ଷ୍ଟେଶନ ନିକଟରେ କ୍ରସଓଭର ସମସ୍ୟା ଯୋଗୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା। କ୍ରସଓଭର ବା ଇଣ୍ଟରଲକିଂରେ ସମସ୍ୟା ଥିବା ଜଣାପଡ଼ିଥିଲା। ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରେନ୍‌ରେ ଥିବା ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଛି। ଟ୍ରେନ୍‌ଟି ନୀଳଗିରି ରୋଡ୍‌ ଷ୍ଟେଶନ ଛାଡ଼ିବାର ପ୍ରାୟ ୧୦୦ ମିଟର ପରେ ଏକ ବଡ଼ଧରଣର ଶବ୍ଦ ହୋଇଥିଲା। ଟ୍ରେନ୍‌ ଜୋର ବ୍ରେକ ମାରିବାରୁ ଯାତ୍ରୀମାନେ ଭୟଭୀତ ହୋଇଥିଲେ। ଟ୍ରେନ୍‌ ଟ୍ରାକ୍‌ରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଦେଢ଼ଘଣ୍ଟା ପରେ ରେଳବିଭାଗର ଏକ ଟେକ୍ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତ୍ରୁଟି ସଜାଡ଼ିବା ପରେ ଟ୍ରେନ୍‌ ବାଲେଶ୍ୱର ଅଭିମୁଖେ ଯାଇଥିଲା। ତେବେ ପଏଣ୍ଟ ରିଭର୍ସ ସେଟରେ ସମସ୍ୟା ଥିବା ବେଳେ ସିଗନାଲ ଷ୍ଟାଫଙ୍କ ଅବହେଳା ଯୋଗୁ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥାନ୍ତା ମେମୁ ଟ୍ରେନ।