ନୀଳଗିରିରେ ୧୨ ଶିଶୁ ଅପପୁଷ୍ଟିର ଶିକାର: ୨ ସୁସ୍ଥ ହୋଇ ଘରକୁ ଫେରିଲେ

ନୀଳଗିରି, ୨୩।୧୦(ସ୍ବ.ପ୍ର.): ଅପପୁଷ୍ଟି ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟରେ ଅର୍ଥ ବ୍ୟୟ କରୁଛନ୍ତି। ହେଲେ ଏବେବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ନୀଳଗିରି ଅଞ୍ଚଳରେ ୧୨ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ (ଏନ୍‌ଆର୍‌ସି) ପୃଷ୍ଟି ପୁର୍ନବାସ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ନଜରକୁ ଆସିଛି। ଶନିବାର ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ଶିଶୁମାନେ ନୀଳଗିରି ବ୍ଲକ ପୋଡ଼ାଶୁଳ, ଧୋବଶିଳା, ଚତିରଖୁଣ୍ଟା, ମିତ୍ରପୁର, ନୀଳଗିରି ଏନଏସି, ଔପଦା ବ୍ଲକ ହାତୀଖୁଲିଆ ଓ ରାଇରାମପୁର ଆଦି ଅଞ୍ଚଳର। ଅଙ୍ଗନୱାଡ଼ି ପକ୍ଷରୁ ମିଳୁଥିବା ଖାଦ୍ୟ ଖାଇବା ପରେ ମଧ୍ୟ ପିଲାମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିଟାମିନ ଯୋଗାଇ ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଅପପୁଷ୍ଟି ସମ୍ପର୍କରେ ନୀଳଗିରି ମେଡ଼ିକାଲ ଶିଶୁ ରୋଗ ବିଶେଷଜ୍ଞ ରାଜେନ୍ଦ୍ର କୁମାର ସିଂହ କହିଛନ୍ତି, ଖାଦ୍ୟ ଅଭାବ ଓ କ୍ରନିକ୍‌ ଡିଜିଜ୍‌ ଥିଲେ ଶିଶୁ ଅପପୁଷ୍ଟିର ଶିକାର ହୋଇଥାନ୍ତି। ଯେଉଁ ପିଲା ଦୁର୍ବଳ ଦେଖାଯାନ୍ତି ତାଙ୍କ ହାଇଟ୍‌ ଅନୁସାରେ ଓଜନ ଠିକ୍‌ ନ ରହିଲେ ସେହି ପିଲାଙ୍କୁ ଆମେ ଚିକିତ୍ସା କରି ପ୍ଲାନିଂ ଅନୁସାରେ ଖାଦ୍ୟ ଦେବା ସହ, ଭିଟାମିନ୍‌ ଓ ଟନିକ ଆଦି ଦେଇଥାଉ। ଯେତିକି ଓଜନ ଥାଏ ତାଠାରୁ ୧୫% ବଢ଼ିବା ପରେ ଛାଡ଼ିଥାଉ ବୋଲି କହିଥିଲେ।