ଠାକୁରମୁଣ୍ଡା,୬।୧୧(ଡି.ଏନ୍.ଏ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ୨ ପ୍ରାଥମିକ ବିଦ୍ୟାଳୟରେ ଗତ ଗୁରୁବାରଠାରୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟ ଗୁଡ଼ିକୁ ଚାଉଳ ଯୋଗାଣ ହୋଇ ନ ଥିବାରୁ ଏପରି ସମସ୍ୟା ଉପୁଜିଥିବାର ଜଣାପଡ଼ିଛି। ଫଳରେ ଛାତ୍ରୀଛାତ୍ରଙ୍କ ବିସ୍କୁଟ ଦିଆଯାଇଥିବା ଦୁଇ ସ୍କୁଲ୍ର ପ୍ରଧାନଶିକ୍ଷକ କହିଛନ୍ତି।
ପ୍ରକାଶ ଯେ, ଖଣ୍ଡବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରୁ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାରଠାରୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ଖଣ୍ଡବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଗତ ଗୁରୁବାରଠାରୁ ବନ୍ଦ ରହିଛି। ଖଣ୍ଡବନ୍ଧ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବଦତ୍ତ ସାହୁ ଏ ନେଇ କହିଛନ୍ତି ଯେ, ୨ ମାସ ହେଲାଣି ବିଦ୍ୟାଳୟକୁ ଚାଉଳ ଯୋଗାଇ ଦିଆ ଯାଇନାହିଁ। ଯାହାଫଳରେ ବାହାରୁ ଚାଉଳ ଧାର ଆଣି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆ ଯାଉଥିଲା। କିନ୍ତୁ ୩ ଦିନ ହେବ ସମ୍ପୂର୍ଣ୍ଣ ରୋଷେଇ ବନ୍ଦ ରହିଛି। ପିଲାଙ୍କୁ ବିସ୍କୁଟ, ଅଣ୍ଡା ଦିଆଯାଉଛି। ସେହିପରି ବୁରୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିମଳକାନ୍ତ ନାୟକ ତାଙ୍କ ବିଦ୍ୟାଳୟକୁ ଚାଉଳ ଯୋଗାଣ ବନ୍ଦ ହୋଇଯିବାରୁ କିଛିଦିନ ଅଙ୍ଗନଓ୍ବାଡି ଓ ବାହାର ଲୋକଙ୍କ ପାଖରୁ ଚାଉଳ ଧାର ଆଣି ରୋଷେଇ କରିଥିବା କହିଥିଲେ। ୨ ଦିନ ହେଲା ଆଉ ରୋଷେଇ କରାଯାଇନାହିଁ। ଏ ନେଇ ସିଆରସିସିକୁ ସେ ଜଣାଇଥିବା କହିଛନ୍ତି। ଏ ସମ୍ପର୍କରେ ନୂତନ ଭାବରେ ଯୋଗ ଦେଇଥିବା ବ୍ଲକ୍ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାଏକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏ ନେଇ ଏବେ ସୂଚନା ପାଇଲି ଏବଂ ଚାଉଳ ଆସିଯାଇଛି। ଯଥା ଶୀଘ୍ର ଯୋଗାଇ ଦିଆଯିବ ବୋଲି କହିଥିଲେ। ଚାଉଳ ନ ଥିବାରୁ ବ୍ଲକ୍ର ଅନେକ ବିଦ୍ୟାଳୟରେ ଏପରି ଅବସ୍ଥା ସୃଷ୍ଟି ହୋଈ ଥିବାର କୁହାଯାଉଛି।