ଭୁବନେଶ୍ୱର,୩୧।୫: ପ୍ରକାଶ ପାଇଲା ୨୦୨୨-୨୩ ଶିକ୍ଷାବର୍ଷର ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)କାର୍ଯ୍ୟାଳୟରେ ବୁଧବାର ବିଧିବଦ୍ଧ ଭାବେ ପରୀକ୍ଷାଫଳ ପ୍ରକାଶ ପାଇଛି। ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ପରୀକ୍ଷାଫଳ ଘୋଷଣା କରିଛନ୍ତି। ତେବେ ଯୁକ୍ତ ୨ ବିଜ୍ଞାନରେ ପାସ୍ ହାର ୮୪.୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍ହାର ୮୧.୧୨ପ୍ରତିଶତ ହୋଇଛି। ବିଜ୍ଞାନରେ ୯୩,୭୭୪ ପରୀକ୍ଷା ଦେଇଥିଲେ। ସେଥିରୁ ୭୮,୯୩୮ ପାସ୍ କରିଛନ୍ତି।
ବୁଧବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଭାଗୀୟ ସଚିବ ଅଶ୍ବଥୀ ଏସ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍ସ କଲେଜ ଇ-ସ୍ପେସ୍ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଜୁନ ୮ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ସୂଚନା ଦେଇଛନ୍ତି।