ଭୁବନେଶ୍ୱର,୪ା୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ବରିଷ୍ଠ ଅଧିକାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ ଭବାନୀପାଟଣାରେ ଅବସ୍ଥାପିତ କେବିକେ କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ।
ଶୁକ୍ରବାର ଏହି ଦୁଇ ଅଧିକାରୀଙ୍କ ବାସଭବନ ସହିତ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉମେଶଙ୍କର ଖୋର୍ଦ୍ଧା ଏବଂ କେନ୍ଦୁଝରର ୧୩ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ସେହିପରି ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କର ଖୋର୍ଦ୍ଧା, ଅନୁଗୋଳ ଓ କଳାହାଣ୍ଡିରେ ଥିବା ୮ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।
ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କର ଆୟଠାରୁ ୩୬୮ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରାଯାଇଥିବା ବେଳେ କେବିକେ କ୍ଷୁଦ୍ର ଜଳସେଚନ ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କର ଆୟଠାରୁ ୭୫ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରାଯାଇଥିଲା।