Categories: ଗଞ୍ଜାମ

୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଚିକିଟି,୨୩ା୬ (ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ୨ ଡାକ୍ତରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଧାୟକଙ୍କ ଅଭିଯୋଗ ପରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୩ଦିନ ଭିତରେ ନୋଟିସର ଉତ୍ତର ଦେବାକୁ କୁହାଯାଇଛି। ଦୀର୍ଘଦିନ ହେଲା ଏଠାକାର ଡାକ୍ତରମାନେ ପାଳି କରି ଆସୁଥିବା ନେଇ ଚିକିଟି ନିର୍ବାଚନ ମଣ୍ଡଳୀର ନୂଆ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନିକଟରେ ଅଭିଯୋଗ ହୋଇଆସୁଥିଲା। ଫଳରେ ବିଧାୟକ ସାମନ୍ତରା ଶୁକ୍ରବାର ମଧ୍ୟାହ୍ନରେ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରିଥିଲେ। ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ମନୋଜ କୁମାର ପାଢ଼ୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୭ଜଣ ଡାକ୍ତରଙ୍କ ଜାଗାରେ କେବଳ ୪ଜଣ ଅଛନ୍ତି। ଫଳରେ ଚିକିତ୍ସା ସେବା ଯୋଗାଇବା ବେଳେ ସମସ୍ୟା ଉପୁଜୁଥିବା ଜାଣିବାକୁ ପାଇଥିଲେ। ପରେ ଡାକ୍ତରଙ୍କ ନିୟମିତ ଉପସ୍ଥାନ ରେଜିଷ୍ଟରକୁ ତନଖି କରିଥିଲେ। ତନଖି ବେଳେ ଡା. ସତ୍ୟଜିତ ସେଠୀ, ଡା. ସୁନୀଲ ଚନ୍ଦ୍ର ସାହୁ ଗତ ୧୩ ତାରିଖରୁ ନିୟମିତ ଆସୁନଥିବା ଜାଣିବାକୁ ପାଇଥିଲେ। ଏନେଇ ଚିକିଟି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ ମନୋଜ ପାଢ଼ୀ ଡାକ୍ତର ନିୟମିତ ଆସୁଛନ୍ତି କିନ୍ତୁ ଉପସ୍ଥାନ ଖାତାରେ ବ୍ୟସ୍ତତା କାରଣରୁ ଦସ୍ତଖତ କରି ନଥିବା କହିଥିଲେ। ବିଧାୟକ ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସିଡିଏମଓ ଡା. ଉମାଶଙ୍କର ମିଶ୍ର ବିନା ସୂଚନାରେ ଅନୁପସ୍ଥିତ ୨ ଡାକ୍ତରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।