୨ ଦିବ୍ୟାଙ୍ଗ ଭାଇ ପାଇଁ ଭଉଣୀ ସାଜିଛନ୍ତି ମା’

ଭବାନୀପାଟଣା,୪।୯(ଉତ୍ତମ କୁମାର ଦାଶ):ସ୍ନେହ ଓ ପ୍ରେମର ବନ୍ଧନ ରାଖୀ। ଭାଇ ଭଉଣୀର ଅତୁଟ ସମ୍ପର୍କ ରାଖୀ। ବୁଧବାର ସୁବୁଠି ରାଖୀ ପୂର୍ଣ୍ଣିମା ଧୁମଧାମରେ ପାଳନ ହୋଇଛି। ଏହି ଦିନ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ଭଗବାନ ପାଖରେ ପ୍ରାର୍ଥନା କରିଥାଏ ଓ ବଦଳରେ ଭାଇ ଭଉଣୀଙ୍କୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥାଏ, କିନ୍ତୁ ଏଠାରେ ଟିକିଏ ଅଲଗା। ଦୁଇ ଦିବ୍ୟାଙ୍ଗ ଭାଇ ପାଇଁ ନିଜ ପାଠପଢାକୁ ବଳିଦାନ ଦେଇ ଏବେ ମା’ ସାଜିଛି ଜଣେ ଭଉଣୀ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କଲମପୁର ବ୍ଲକ ଦୁଲୁକିବନ୍ଧ ଗ୍ରାମରେ। ଗ୍ରାମର କୈଳାଶ ମାଝି ଓ ତାଙ୍କ ୩ ସନ୍ତାନ ରହିଛନ୍ତି। କୈଳାଶଙ୍କ ସ୍ତ୍ରୀ ପ୍ରଥମେ କନ୍ୟା ସନ୍ତାନ ଜନ୍ମ କରିବା ପରେ ଦ୍ୱିତୀୟ ଓ ତୃତୀୟ ଲଗାତର ୨ଟି ଦିବ୍ୟାଙ୍ଗ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ଅସହାୟ ଅବସ୍ଥାରେ ୩ ସନ୍ତାନକୁ ବାପା ହାତରେ ଟେକିଦେଇ କୁଆଡେ ଚାଲି ଗଲେ। ଘରେ ରହିଗଲେ ବଡ଼ ଝିଅ ମନୀଷା (୧୫), ୨ ଦିବ୍ୟାଙ୍ଗ ଭାଇ ମନୋଜ, ଦୁଷ୍ମନ୍ତ। କୈଳାସ ଭାବିଥିଲେ ତାଙ୍କ ସ୍ତ୍ରୀ ୩ସନ୍ତାନଙ୍କ ପାଇଁ ନିଶ୍ଚୟ ଫେରିଆସିବେ। କିନ୍ତୁ ତାଙ୍କ ଅପେକ୍ଷା ଅପେକ୍ଷାରେ ହିଁ ରହିଗଲା। ଦିନ ମଜୁରିଆ ଭାବେ କାମ କରୁଥିବା କୈଳାସ ପରିବାର ଚଳାଇବେ ନାଁ ୨ ଦିବ୍ୟାଙ୍ଗ ପୁଅଙ୍କ ସେବା କରିବେ ସେ ଚିନ୍ତାରେ ପଡ଼ିଲେ। ଶେଷରେ ବଡ ଝିଅ ମନୀଷା ୨ ଦିବ୍ୟାଙ୍ଗ ଭାଇଙ୍କ ସେବା ଯତ୍ନ ସହ ପରିବାର ପ୍ରତିପୋଷଣରେ ବାପାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଅନ୍ୟ ଝିଅଙ୍କ ଭଳି ଅଧିକ ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଦିବ୍ୟାଙ୍ଗ ଭାଇଙ୍କ ଦୁଃଖ ଓ ଅସହାୟ ବାପାଙ୍କ ମୁହଁ ଦେଖି ଖେଳିବା ବୟସରେ ମା’ ଭଳି ୨ଭାଇଙ୍କ ଯତ୍ନ ନେଉଛନ୍ତି ମନୀଷା। ଘରେ ରୋଷେଇ ସାଙ୍ଗକୁ ଦିବ୍ୟାଙ୍ଗ ଭାଇଙ୍କ ଗାଧୁଆ, ଡ୍ରେସ ପିନ୍ଧା ଭଳି ସବୁ ପ୍ରକାର ଯତ୍ନ ନେବା ସହ ଅଳି କଲେ ବୁଝାଇ ଦିଅନ୍ତି ମନୀଷା। ବାପା କୈଳାସ କାମଧନ୍ଧା ପାଇଁ ଗଲେ ଚାରି କାନ୍ଥ ଭିତରେ ଦୁଇ ଭାଇ ହିଁ ତାଙ୍କର ସଂସାର। ଏହି ଭଳିସ୍ଥିତିରେ ଏହି ତିନି ସନ୍ତାନଙ୍କ ନିଆରା ପ୍ରେମକୁ ଦେଖି ପାଖପଡୋଷୀ ମଧ୍ୟ ମନୀଷାଙ୍କୁ ସହାନୁଭୁତୀ ଦେବା ସହ ପ୍ରଶଂସା ନ କରି ରହିପାରନ୍ତି ନାହିଁ। ମନୋଜ ଓ ଦୁଷ୍ମନ୍ତଙ୍କ ଆଜି ଯାଏଁ ଆଧାର କାର୍ଡ ମଧ୍ୟ ହୋଇପାରି ନାହିଁ। ଫଳରେ ତାଙ୍କୁ ବିକଳାଙ୍ଗ ଭତ୍ତା ମଧ୍ୟ ମିଳି ପାରୁନାହିଁ। ଅତି ଗରିବ ଶ୍ରେଣୀରେ ଥିବା ଏହି ଅସହାୟ ପରିବାରେ ଜନ୍ମ ନେଇଥିବା ମନୀଷା ଭାଇମାନଙ୍କ ଲାଳନ ପାଳନ ପାଇଁ ସପ୍ତମ ଶ୍ରେଣୀରୁ ପାଠ ଛାଡିଥିବା ବେଳେ କିଭଳି ଦୁଇ ଭାଇଙ୍କୁ ସରକାରୀ ସାହାଯ୍ୟ ଟିକିଏ ମିଳନ୍ତା ସେ ନେଇ ଚେଷ୍ଟିତ ଅଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।