ଯୁକ୍ତ୨ ସ୍ପଟ୍‌ ନାମଲେଖା ଆରମ୍ଭ

ଭୁବନେଶ୍ୱର, ୧୭ା୯(ବ୍ୟୁରୋ): ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ୨ ସ୍ପଟ୍‌ ନାମଲେଖା ପାଇଁ ଶନିବାର ପୂର୍ବାହ୍ନ ୧୧ଟାରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଛି। ଏଥିସହ ମଧ୍ୟାହ୍ନ ୧୨ଟାରୁ ସ୍ପଟ୍‌ ନାମଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬୮୫ଜଣ ନାମଲେଖାଇଛନ୍ତି। ଏହା ୨୦ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ, ରାଜ୍ୟରେ ଥିବା ୨,୦୬୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ପାଇଁ ୫,୦୭,୮୨୨ ସିଟ୍‌ ରହିଛି। ସେଥିମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୩,୬୫,୨୩୫ ସିଟ୍‌ରେ ନାମଲେଖା ସରିଯାଇଥିବାବେଳେ ଆଉ ୧,୪୩,୨୭୨ଟି ସିଟ୍‌ ବଳକା ଥିଲା। ଶନିବାର ସ୍ପଟ ନାମଲେଖା ଆରମ୍ଭ ହେବାପରେ ଆଉ ୧,୪୨,୫୮୭ ସିଟ୍‌ ରହିଛି। କଳାରେ ୪୬,୫୧୨ ସିଟ୍‌ ଖାଲି ଥିବାବେଳେ, ବିଜ୍ଞାନରେ ୫୯,୩୭୧, ବାଣିଜ୍ୟରେ ୨୩,୨୯୯, ସଂସ୍କୃତରେ ୭,୩୭୩ ଓ ଧନ୍ଦାମୂଳକ ଶିକ୍ଷାରେ ୬,୦୩୨ ସିଟ୍‌ ଖାଲି ରହିଛି।

Share