ସହପାଠୀ, ସିନିୟରଙ୍କ ଆକ୍ରମଣରେ ଯୁକ୍ତ ଦୁଇ ଛାତ୍ର ଗୁରୁତର

ଆନନ୍ଦପୁର,୨୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟରେ ସାମାନ୍ୟ କଥାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣାରେ ଜଣେ ଯୁକ୍ତ ୨ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଛାତ୍ର ଭଦ୍ରକ ଜିଲା ଆପଣ୍ଡା ଗ୍ରାମର ସୁବ୍ରତ ପାତ୍ର। ମଙ୍ଗଳବାର ପରୀକ୍ଷା ସରିବା ପରେ ସୁବ୍ରତ ଫେରିବା ସମୟରେ ହଲରେ ପାଟିତୁଣ୍ଡ କରୁଥିବା ଜଣେ ଯୁକ୍ତ ୨ ବିଜ୍ଞାନ ଛାତ୍ରଙ୍କୁ ବାରଣ କରିଥିଲେ। ଫଳରେ ସମ୍ପୃକ୍ତ ବିଜ୍ଞାନ ଛାତ୍ରଙ୍କ ସହିତ ସୁବ୍ରତଙ୍କର କଥା କଟାକଟି ହୋଇଥିଲା। ଏହାର ଆକ୍ରୋଶରେ ବୁଧବାର ସମ୍ପୃକ୍ତ ଛାତ୍ର ଯୁକ୍ତ ୩ ଛାତ୍ରଙ୍କ ସହିତ ମିଶି ସୁବ୍ରତଙ୍କୁ ଆକ୍ରମଣ କରିଥିଲେ। ସୁବ୍ରତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଉଦ୍‌ବେଗ ଜନକ ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ବି ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।