୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୪ା୯(ଦୁର୍ଯ୍ୟୋଧନ ପାତ୍ର)- ଛତିଶଗଡ଼ ସୁକ୍‌ମାରେ ୨ ମାଓବାଦୀ ସୋଡି ଭୀମା ଓ ମୁଦାମି ହଣ୍ଡା ପୋଲିସ ନିକଟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି। ସୋଡିଙ୍କ ନାମରେ ୨ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏମାନେ ସଙ୍ଗଠନରେ ରହି ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିଲେ। ପୋଲିସ ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ, ସ୍ପାଇକ୍‌ ହୋଲ କରିବା, ବୋମା ଖଞ୍ଜିବା ଓ ରାସ୍ତା ଅବରୋଧ ଆଦି ବିଭିନ୍ନ କାର୍ଯ୍ୟକଳାପରେ ଜଡ଼ିତ ଥିଲେ। ତେବେ ସଙ୍ଗଠନ ଦିନକୁ ଦିନ ନିଜର ନୀତି ଆଦର୍ଶ ହରାଉଥିବା ବେଳେ ଦୁର୍ବଳ ହେଉଥିବାରୁ ଏମାନେ ସାଧାରଣ ଜୀବନଯାପନ କରିବା ପାଇଁ ସୁକ୍‌ମା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କହିଛନ୍ତି। ନିୟମ ଅନୁଯାୟୀ ଏହି ୨ ଜଣଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ କହିଛି ।