୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୩ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ନିକଟରେ ୨ ମାଓବାଦୀ ବୁଧବାର ଆତ୍ମସମର୍ପଣ କରଛନ୍ତି । ଏ ସମ୍ପର୍କରେ ସୁକ୍‌ମା ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ସୁକ୍‌ମା ଜିଲା କୋଣ୍ଟା ଅଞ୍ଚଳର ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ସୋଡି ଗଜେନ୍ଦ୍ର ଓରଫ ହଡମା ଓ ମହିଳା ମାଓବାଦୀ ସୋଡି ମଞ୍ଜୁଲା ଓରଫ ମଡକମ ମଞ୍ଜୁଲା। ଏହି ୨ଜଣ ସୁକ୍‌ମା ଏସ୍‌ପି କିରଣ ଚୌହାନ ଓ ସୁକ୍‌ମା ଉପ ମହାନିରୀକ୍ଷକ ସୁରଜ ପାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ୨ଜଣ ମାଓବାଦୀଙ୍କ ମଧ୍ୟରୁ ସୋଡି ଗଜେନ୍ଦ୍ର ୨୦୧୪ ରେ ବିରାରଭଟି ସିଏନ୍‌ଏମ୍‌ ସଦସ୍ୟ ଓ ପରେ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ କୋଣ୍ଟା ଏରିଆ କମିଟି ଜନତାନା ସରକାର ପାର୍ଟି ସଦସ୍ୟ ଓ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ କୋଣ୍ଟା ଏରିଆ କମିଟି ଅନ୍ତର୍ଗତ କୋଣ୍ଟା ଏଲ୍‌ଓଏସ୍‌ ଜନମିଲିସିଆ କମାଣ୍ଡର ଭାବେ କାର୍ଯ୍ୟକରି ଆସୁଥିଲେ। ସେହିପରି ସୋଡି ମଞ୍ଜୁଲା ମଧ୍ୟ ୨୦୦୨ରୁ ମାଓବାଦୀଙ୍କ ବିଭିନ୍ନ ସଂଗଠନରେ ସଦସ୍ୟା ଓ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ କ୍ୟାମ୍ପ ପ୍ରତିଷ୍ଠା ଗତ ୩ ମାସ ମଧ୍ୟରେ ପୋଲିସ ଗୁଳିରେ ବହୁ ମାଓବାଦୀ ନିହତ ହେବା, ସାମଗ୍ରୀ ଜବତ ହେବା ସହ ସଙ୍ଗଠନରେ ପୂର୍ବ ଆଦର୍ଶ ନ ଥିବା ଯୋଗୁ ଏହି ୨ଜଣ ଆତ୍ମସମର୍ପଣ କରିଥିବା କହିଛନ୍ତି।