Categories: ଜାତୀୟ

ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୨୪ା୮ : ଏଣିକି ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ହେବ। ପରୀକ୍ଷାରେ ସବୁଠୁ ଭଲ ନମ୍ବର ରଖିବା ପାଇଁ ପିଲାମାନଙ୍କ ପାଖରେ ବିକଳ୍ପ ରହିବ। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ଗୋଟିଏ ଭାଷା ପରିବର୍ତ୍ତେ ଦୁଇଟି ଭାଷା ପଢ଼ିବେ ବୋଲି ଶିକ୍ଷା ମନ୍ତ୍ରଣାଳୟର ନୂଆ ପାଠ୍ୟକ୍ରମ ରୂପରେଖରୁ ଜଣାପଡ଼ିଛି। ସେଥିରୁ ଗୋଟିଏ ଭାରତୀୟ ଭାଷା ରହିବା ଅନିବାର୍ଯ୍ୟ।ନୂଆ ଶିକ୍ଷା ନୀତି (ଏନ୍‌ଇପି) ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି। ୨୦୨୪ ଶିକ୍ଷାବର୍ଷ ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବୋର୍ଡ ପରୀକ୍ଷାକୁ ସହଜ କରିବା ପାଇଁ ମାସ ମାସ ଧରି କୋଚିଂ ଏବଂ ପାଠ ଘୋଷିବା ପରିବର୍ତ୍ତେ ପିଲାମାନେ କରିଥିବା ଦକ୍ଷତା ହାସଲର ଆକଳନ କରାଯିବ। ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ହେବା ଦ୍ୱାରା ପିଲାମାନେ ଭଲ ପ୍ରଦର୍ଶନ କରିବା ଲାଗି ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ପାଇବେ। ସେମାନେ ଯେଉଁସବୁ ବିଷୟ ସମ୍ପୂର୍ଣ୍ଣ କରିଥିବେ ଏବଂ ପ୍ରସ୍ତୁତ ଥିବା ଅନୁଭବ କରିବେ, ସେହି ବିଷୟରେ ପରୀକ୍ଷା ଦେବେ। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ବିଷୟ ଚୟନରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଭଳି ଷ୍ଟ୍ରିମ୍‌ କଟକଣା ରହିବ ନାହିଁ। ସେମାନେ ଯେକୌଣସି ଷ୍ଟ୍ରିମ୍‌ର ବିଷୟ ଚୟନ କରିପାରିବେ।

ସ୍କୁଲ ବୋର୍ଡଗୁଡ଼ିକ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଇବା ପାଇଁ ସାମର୍ଥ୍ୟ ବଢ଼ାଇବେ। ସେହିପରି ପରୀକ୍ଷକ ଏବଂ ପରୀକ୍ଷା ପ୍ରସ୍ତୁତକାରୀଙ୍କୁ ଏଥିପାଇଁ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ପାଠ୍ୟକ୍ରମ ହାସଲ କରିବାକୁ ହେବ ବୋଲି ମନ୍ତ୍ରଣାଳୟ କହିଛି।

Share