ଦେଢ଼ମାସରେ ପିଆଜ ଦର ୨ଗୁଣ ବୃଦ୍ଧି

ରାଉରକେଲା,୨୪ା୮(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ସହରର ଖୋଲା ବାଜରରେ ପିଆଜ କିଲୋ ପ୍ରତି ୧୫ରୁ୧୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୩୦ରୁ ୩୫ ଟଙ୍କାକୁ ବୃଦ୍ଧି ପାଇଛି। ହଠାତ ପିଆଜ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ କନ୍ଦେଇବା ଆରମ୍ଭ କଲାଣି। ସହରକୁ ଆଗରୁ ଦୈନିକ ୧୫୦ରୁ ୨୦୦ଟନ୍‌ ପିଆଜ ମହାରାଷ୍ଟ୍ର ନାସିକରୁ ଆସୁଥିବା ବେଳେ ଏବେ ମାତ୍ର ୧୦୦ କୁଇଣ୍ଟାଲ ପିଆଜ ଆସୁଛି। ପିଆଜ ରପ୍ତାନୀରେ ହ୍ରାସ ହେବା ଯୋଗୁଁ ହୋଲସେଲରମାନେ ୧କୁଇଣ୍ଟାଲ ପିଆଜ ପିଛା ୨୫ଶହ ଟଙ୍କା ଦେଉଛନ୍ତି। ପରେ ହୋଲସେଲରମାନେ ପିଆଜ ରିଟେଲରଙ୍କ ନିକଟକୁ ପିଆଜ ପଠାଉଛନ୍ତି। ମାତ୍ର ଖୋଲା ବଜାରରେ ପିଆଜ ରିଟେଲରମାନେ ନିଜ ମନ ମୁତାବକ କିଲୋପ୍ରତି ୩୦ରୁ ୩୫ ଟଙ୍କାରେ ବିକ୍ରି କରୁଛନ୍ତି। ଗୋଟିଏ ପଟେ ପନିପରିବା ଦର ଆକାଶଛୁଆଁ ରହିଥିବା ବେଳେ ଏବେ ପିଆଜ ଦର ୨ଗୁଣ ବୃଦ୍ଧି ସହରରେ ରହୁଥିବା ପ୍ରାୟ ୪୦ଭାଗ ଦିନ ମଜୁରିଆଙ୍କ ସମେତ ଗରିବ ଶ୍ରେଣୀର ଲୋକେ ସମସ୍ୟା ଭୋଗୁଛନ୍ତି। କୁଆଁରମୁଣ୍ଡା, ଲାଠିକଟା ଓ ବିଶ୍ରା ଆଦି ବ୍ଲକ ଅଞ୍ଚଳରୁ ସହରକୁ କାମ କରିବାକୁ ଆସୁଥିବା ଶ୍ରମିକଙ୍କ ପଖାଳ କଂସାରୁ ପିଆଜ ହଜି ଯାଇଛି। ପିଆଜ କଳା ବଜାରି ଉପରେ ବିଭାଗୀୟ ପ୍ରଶାସନ ତରଫରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗରିବ ବସ୍ତି ବାସିନ୍ଦା ଦାବି କରିଛନ୍ତି। ଏନେଇ ରାଉରକେଲା ପ୍ଲାଣ୍ଟ ସାଇଡ ରୋଡସ୍ଥିତ ପିଆଜ ହୋଲସେଲର ମନୋଜ ଅଗ୍ରଓ୍ବାଲ କୁହନ୍ତି, ବର୍ତ୍ତମାନ କେବଳ ପିଆଜ ନୁହେଁ ଚାଉଳରୁ ଆରମ୍ଭ କରି ତେଲ ଲୁଣ ଯାଏଁ ସବୁଥିରେ ଦରଦାମ ବୃଦ୍ଧି ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମରେ ଅଙ୍କୁଶ ଲଗାଇ ପାରୁନାହାଁନ୍ତି। ରାଜ୍ୟରେ ପିଆଜ ଚାଷ ନାହିଁ। ପିଆଜ ପାଇଁ ମହାରାଷ୍ଟଉପରେ ନିର୍ଭର କରିବାକୁ ପଡ଼ୁଛି। ଆଗରୁ ସହରକୁ ୧୫୦ରୁ ୨୦୦ ଟନ ପିଆଜ ଆସୁଥିଲା। ହେଲେ ବର୍ତ୍ତମାନ ୧୦୦ ଟନ ପିଆଜ ଆସୁଛି। ଫଳରେ ପିଆଜ ଦର ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।