ବେଆଇନ ମୋରମ ଖଣିରେ ବନ ବିଭାଗର ରାତିଅଧିଆ ଚଢାଉ, ଧରା ପଡ଼ିଲା ୨ ଟ୍ରାକ୍ଟର, ଗୋଟିଏ ଜେସିବି

କେନ୍ଦୁଝର,୧୨ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ କୁଶକଳା ବିଟ ଅଫିସ ନିକଟରେ ଗତ ସୋମବାର ରାତିରେ ହାତୀ ନିରୀକ୍ଷଣ ପାଇଁ ବନ ବିଭାଗର ଏକ ଟିମ୍‌ ଯାଇଥିଲା। ତେବେ ଟିମ୍‌ ଖବର ପାଇ ସେଠାରେ ବେଆଇନ ଭାବେ ମୋରମ ଖୋଳା ଚାଲିଥିବା ଖଣିରେ ଅତର୍କିତ ଚଢାଉ କରଥିଲା। ଚଢାଉବେଳେ ଉକ୍ତ ସ୍ଥାନରୁ ମୋରମ ବୋଝେଇ ୨ ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ଗାଡି ଜବତ କରାଯାଇଛି । ଜଙ୍ଗଲ ଠାରୁ ମାତ୍ର ୫୦୦ମିଟର ଦୂରରେ ଏହି ବେଆଇନ ମୋରମ ଖାଦାନ ଗତ କିଛି ଦିନ ହେବ ବେଆଇନ ଭାବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାଲିଥିଲା । ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳ ଠାରୁ ମାତ୍ର କିଛି ଦୂରରେ ତରମାକାନ୍ତ ଚା ବଗିଚାରେ ୯ଟି ହାତୀ ରହିଛନ୍ତି । ହାତୀ ସ୍କାର୍ଡରେ ସୋମବାର ଫରେଷ୍ଟର ମଧୁସ୍ମିତା ଦୋରା ଏବଂ ଅନ୍ୟ ବନ କର୍ମଚାରୀ ଥିଲେ। ରାତି ପ୍ରାୟ ୧୧ଟାରେ ତରମାକାନ୍ତ ଜଙ୍ଗଲ ନିକଟ କୁଶକଳାରେ ଏକ ଜେସିବି ଗାଡିରେ ମୋରମ ଖୋଳାଯାଉଥିବା ଦେଖି ଉକ୍ତ ସ୍ଥାନକୁ ଯାଇ ୨ଟି ମୋରମ ବୋଝେଇ ଟ୍ରାକ୍ଟର ଏବଂ ମୋରମ ଖୋଳୁଥିବା ଏକ ଜେସିବି ଗାଡି ଜବତ କରିବା ସହ ୨ ଜଣ ଡ୍ରାଇଭରଙ୍କୁ ଅଟକ ରଖିଥିଲା । ବନ ବିଭାଗକୁ ଦେଖି ୮ ଟି ଟ୍ରାକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ନୟନକାନ୍ତ ସାହୁ,ଏବଂ ଶୁଆକାଟୀ ଫରେଷ୍ଟର ଜ୍ୟୋର୍ତିମୟୀ ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ୩ଟି ଗାଡି ଜବତ କରି ଅଞ୍ଜର ସ୍ଥିତ ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି । ଉକ୍ତ ଅଞ୍ଚଳରେ ବର୍ଷର ସବୁ ସମୟରେ ହାତୀ ଚଳପ୍ରଚଳ କରୁଥିବାରୁ ବେଆଇନ ଖନନ ଯୋଗୁଁ ସୃଷ୍ଟି ହୋଇଥିବା ବଡ ବଡ ଗାତ ହାତୀ ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ତୁରନ୍ତ ଏହି ବେଆଇନ ଖାଦାନକୁ ପୋତିବା ପାଇଁ ପଦକ୍ଷେପ ନେବା ସହ ଠିକାଦାରଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ଦାବି ହୋଇଛି ।