କେନ୍ଦୁଝର,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ପୁଣି ୨ଟି ଟ୍ରାପ୍ କ୍ୟାମେରା ଚୋରି ହୋଇଥିବା ନେଇ ଘଟଗଁା ଫରେଷ୍ଟର ଜତିନ୍ଦ୍ର ସାହୁ ଥାନାରେ ଏତଲା ଦେଇଛନ୍ତି। ଜଙ୍ଗଲର କାଦବାହାଳି ଉତ୍ତର ବିଟ୍ ଅଞ୍ଚଳରୁ ଏହି ଚୋରି ହୋଇଛି।
ସୂଚନା ଅନୁଯାୟୀ, ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘର ଗତିବିଧି ଜାଣିବା ପାଇଁ ମୋଟ ୫୫ଟି ଟ୍ରାପ୍ କ୍ୟାମେରା ଲାଗିଛି । ପ୍ରତି ୧୫ ଦିନରେ ଥରେ କ୍ୟାମେରା ଖୋଲି ଯାଞ୍ଚ କରାଯାଉଛି। ତେବେ ଯାଞ୍ଚ ସମୟରେ ୨ଟି କ୍ୟାମେରା ନ ଥିବା ଜଣାପଡିଛି। ଏଥିପୂର୍ବରୁ ମାର୍ଚ୍ଚ ମାସ ୯ ତାରିଖରେ ପାଟଣା ରେଞ୍ଜ ତଣ୍ଡୋ ବିଟ୍ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘର ଗତିବିଧି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୦ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲା। ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ଟିମ୍ ଆସି ଏହି କ୍ୟାମେରା ଲଗାଇଥିଲେ। ଏହି ୧୦ଟି କ୍ୟାମେରା ମଧ୍ୟରୁ ପାଟଣା ରେଞ୍ଜର ଅଟେଇ ସଂରକ୍ଷିତ ଜଙ୍ଗଲରେ ୨ଟି ଚୋରି ହୋଇଥିବା ବନ ବିଭାଗ ନଜରକୁ ଆସିବା ପରେ ପାଟଣା ଫରେଷ୍ଟର ଚିତ୍ତରଞ୍ଜନ ପରିଡା ଘଟଗଁା ଥାନାରେ ଏତଲା ଦେଇଥିଲେ। ଅଟେଇ ସଂରକ୍ଷିତ ଜଙ୍ଗଲର ରୋହିଣୀଦୁମା ଏବଂ ବଡପିଛୁଳାରେ ୨ଟି ଟ୍ରାପ କ୍ୟାମେରା ଚୋରି ହୋଇଥିବା ବନ ବିଭାଗ ଜାଣିବା ପରେ ଏତଲା ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ଚୋରଙ୍କୁ ଠାବ କରିବାରେ ପୋଲିସ ଏବଂ ବନ ବିଭାଗ ସଫଳ ହୋଇନାହିଁ। ଏହାପରେ ପୁଣି ଏକ ଟ୍ରାପ କ୍ୟାମେରା ଚୋରି ହୋଇଥିବା ନେଇ ଥାନାରେ ରିପୋର୍ଟ ହୋଇଛି । ଘଟଗାଁ ରେଞ୍ଜ ଦେଓବନ୍ଧ ସେକ୍ସନ ବାରବାଙ୍କ ସଂରକ୍ଷିତ କୁଆଝରଣ ଘାଟି ଅଣ୍ଡରପାସ ନିକଟରେ ଗତ ୮ତାରଖରେ ଗୋଟିଏ ଟ୍ରାପ କ୍ୟାମେରାକୁ କେହି ଭାଙ୍ଗି ଦେଇଥିବା ଜଣାପଡିଛି। ଭାଙ୍ଗି ଯାଇଥିବା ଟ୍ରାପ କ୍ୟାମେରା ବନ ବିଭାଗ ଉଦ୍ଧାର କରିଛି। ତେବେ କିଏ ଏବଂ କାହିଁକି ଜଙ୍ଗଲ ଭିତରେ ପଶି ଟ୍ରାପ କ୍ୟାମେରା ଚୋରି କରିଛି ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଟେଇ ସଂରକ୍ଷିତ ଜଙ୍ଗଲରେ ଏକ ମହାବଳ ସହ କଲାରାପତରିଆ ବାଘ ରହିଥିବାବେଳେ ଏହି ଘଟଣା ପରେ ବାଘର ସୁରକ୍ଷା ନେଇ ପରିବେଶବିତମାନେ ଚିନ୍ତାପ୍ରକଟ କରିଛନ୍ତି।