ବନ୍ଧୁଙ୍କ ମୃତ୍ୟୁ ଖବର ପାଇ ଦେଖିବାକୁ ଯାଇଥିଲେ, ୨ ମହିଳା ପାଲଟିଲେ ଶବ

ଛେଣ୍ଡିପଦା,୩୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଅନୁଗୋଳ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ପିଆଜ ବୋଝେଇ ଟ୍ରକ ସହ ଅଟୋ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ମହିଳା ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦୁର୍ଗାପୁର ଗ୍ରାମର କାନ୍ତି ସାହୁ (୪୯) ଓ ଅନ୍ୟ ଜଣେ ମହିଳା ଜରପଡ଼ା ଗ୍ରାମର କୋକିଳ ସାହୁ (୫୧) ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ, ଜରପଡ଼ା ଥାନା ଅଞ୍ଚଳର ୪ଜଣ ସମ୍ପର୍କୀୟ ମହିଳା ଏକ ଅଟୋରେ ଜଣେ ବନ୍ଧୁଙ୍କର ମୃତ୍ୟୁ ଖବର ପାଇ ସମବେଦନା ଜଣାଇବା ପାଇଁ ମହିଧରପୁର ଗ୍ରାମକୁ ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଅଟୋରେ ନିଜ ଘରକୁ ଫେରୁଥିବା ବେଳେ ବିପରୀତ ଦିଗ ସମ୍ବଲପୁରରୁ ଅନୁଗୋଳ ଆସୁଥିବା ଏକ ପିଆଜ ବୋଝେଇ ଟ୍ରକ ଅଟୋକୁ ଧକ୍କା ଦେବା ସହିତ ରାଜପଥ ପାଶର୍‌ବକୁ ଓଲଟି ପଡ଼ିଥିଲା। ଫଳରେ ଅଟୋରେ ବସିଥିବା ଚାଳକଙ୍କ ସମେତ ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ମହିଳା ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ତିନିଜଣ ଗୁରୁତର ହୋଇଥିଲେ। ଖବର ପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share