ମୋନାଲିସା ପେଣ୍ଟିଂ ଉପରକୁ ସୁପ୍‌ ପକାଇ ହରଡ଼ଘଣାରେ ୨ ମହିଳା

ପ୍ୟାରିସ୍‌,୨୯।୧:ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକର୍ତ୍ତାମାନେ ପ୍ୟାରିସର ଲୌର୍ଭେ ମ୍ୟୁଜିୟମ୍‌ରେ ଥିବା ମୋନାଲିସା ପେଣ୍ଟିଂକୁ ଟାର୍ଗେଟ କରିଥିଲେ। ଦୁଇଜଣ ମହିଳା କାର୍ଯ୍ୟକର୍ତ୍ତା ମ୍ୟୁଜିୟମ୍‌ରେ ଥିବା ପେଣ୍ଟିଂ ସାମନାରେ ଗ୍ଲାସରେ ସୁପ ଫିଙ୍ଗିଥିଲେ। ଉଭୟ ମହିଳା ସେଠାରେ ଥିବା ସୁରକ୍ଷାକୁ ଭେଦ କରି ପେଣ୍ଟିଂର ନିକଟତର ହୋଇଥିଲେ। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇଜଣ ମହିଳା ପ୍ରଥମେ ଅଳ୍ପ ଦୂରରୁ ପେଣ୍ଟିଂ ଉପରେ ସୁପ ପକାନ୍ତି ଏବଂ ପରେ ପେଣ୍ଟିଂ ନିକଟକୁ ଆସନ୍ତି।
ଭିଡିଓରେ ଦେଖାଯାଉଛି ଯେ, ପେଣ୍ଟିଂ ଉପରେ ସୁପ ପକାଇବା ପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ପେଣ୍ଟିଂ ସମ୍ମୁଖରେ ଏକ କଳା ପରଦା ରଖିଥିଲେ। ଏହି ଦୁଇ କାର୍ଯ୍ୟକର୍ତ୍ତା ପେଣ୍ଟିଂ ନିକଟକୁ ଯାଇ ଫରାସୀ ଭାଷାରେ ପାଟି କରି ପଚାରିଥିଲେ, ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କ’ଣ? ପେଣ୍ଟିଂ ନା ଉପଯୁକ୍ତ ଖାଦ୍ୟ ବ୍ୟବସ୍ଥାର ଅଧିକାର।
ସେମାନେ ଆହୁରି ମଧ୍ୟ ଫ୍ରେଞ୍ଚ ଭାଷାରେ କହିଛନ୍ତି ଯେ, ଏଠାକାର କୃଷି ବ୍ୟବସ୍ଥା ଖରାପ ଅଟେ। ଆମର କୃଷକମାନେ କାମ କରିବା ସମୟରେ ମରୁଛନ୍ତି। ଏହି ଉଭୟ କାର୍ଯ୍ୟକର୍ତ୍ତା ଫରାସୀ ସଂଗଠନ ରିପୋଷ୍ଟ ଆଲିମେଣ୍ଟେୟାରର ପ୍ରତିନିଧିତ୍ୱ କରୁଥିଲେ। ପରେ ଜଳବାୟୁ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଏକ ବିବୃତ୍ତି ଜାରି କରାଯାଇଥିଲା ଯେ ପରିବେଶ ଏବଂ ଖାଦ୍ୟ ଉତ୍ସର ଆବଶ୍ୟକତାକୁ ଆଲୋକିତ କରାଯାଇପାରିବ ବୋଲି ଏହି ବିରୋଧ କରାଯାଇଥିଲା।
ଏହାପୂର୍ବରୁ ଜଳବାୟୁ ପରିବର୍ତ୍ତନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଅନେକ କାର୍ଯ୍ୟକର୍ତ୍ତା ପେଣ୍ଟିଂକୁ ଟାର୍ଗେଟ କରିଛନ୍ତି।

Share