
ଦେବଗଡ଼,୧୮।୩(ଶାଶଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ତିଳେଇବଣି ବ୍ଳକ ଲଇମୁରା ଫରେଷ୍ଟ ସେକ୍ସନରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି। ଭାଲୁ ଆକ୍ରମଣରେ ମଙ୍ଗଳବାର ୨ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଛୁଆଳି ଘାଟିକୁ ୨ଜଣ ମହିଳା ମହୁଲ ଗୋଟାଇବାକୁ ଯାଇଥିଲେ। ସେତିକିବେଳେ ଏକ ଭାଲୁ ଚାଲିଆସି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।
ପରିବାର ଲୋକେସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି। ଅନ୍ୟପକ୍ଷେ ବନାଗ୍ନି ଯୋଗୁ ଭାଲୁ ଗାଁ ମୁହାଁ ହୋଇଥିବା ସୂଚନା ମିଳିଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।