Categories: ଜାତୀୟ

ମନ୍ଦିରରେ ପ୍ରବେଶ କରିବାରୁ ୨ ବର୍ଷ ଶିଶୁଙ୍କ ମାତାପିତାଙ୍କୁ ଦଣ୍ଡ, ୨୩ ହଜାର ଜରିମାନା…

କୋପ୍ପଲ,୨୨।୯: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ନିଆରା। ଭଗବାନ ଭକ୍ତର ଭାବରେ ବନ୍ଧା। ଭଗବାନଙ୍କୁ ଦର୍ଶନ କରିବାରେ ଭକ୍ତଙ୍କ ଉପରେ ପହରା ଲଗାଇବା ଅନ୍ୟାୟ। ମାତ୍ର କର୍ନାଟକରେ ମନ୍ଦିରରେ ପ୍ରବେଶ କରିଥିବା ଜଣେ ୨ ବର୍ଷ ଶିଶୁଙ୍କ ମାତାପିତାଙ୍କୁ ଜରିମାନା ଦଣ୍ଡାଦେଶ କରାଯାଇଛି।

ସ୍ଥାନୀୟ କୋପ୍ପଲ ଜିଲାର ହନୁମାନ ସାଗର ନିକଟରେ ଥିବା ମିୟାପୁରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିଶୁ ଜଣଙ୍କ ଦଳିତ ପରିବାରର ହୋଇଥିବାରୁ ମନ୍ଦିରରେ ପ୍ରବେଶ ଅଧିକାର ତାଙ୍କର ନାହିଁ ବୋଲି କୁହାଯାଇ ଏହି ଦଣ୍ଡାଦେଶ କରାଯାଇଛି।

ସେପ୍ଟେମ୍ବର ୪ରେ ଚେନ୍ନାଦାସର ସମ୍ପ୍ରଦାୟର ଚନ୍ଦ୍ରଶେଖର ଚାରଙ୍କର ପୁଅର ଜନ୍ମ ଦିନଥିଲା। ସେ ପୁଅକୁ ନେଇ ସ୍ଥାନୀୟ ହନୁମାନ ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ସେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ମନ୍ଦିର ବାହାରେ ରହି ଦର୍ଶନ କରୁଥିଲେ। ତେବେ ହଠାତ୍‌ ଶିଶୁ ଜଣଙ୍କ ଖୁସିରେ ଦୌଡ଼ି ମନ୍ଦିର ଭିତରକୁ ପଳାଇଥିଲେ। ମନ୍ଦିର ଅପବିତ୍ର ହୋଇ ଯାଇଥିବା କହି ଗାଁରେ ଏକ ବୈଠକରେ ସେପ୍ଟେମ୍ବର ୧୧ରେ ଶିଶୁଙ୍କ ମାତାପିତାଙ୍କୁ ୨୩ ହଜାର ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା।

ଏହି ଟଙ୍କାରେ ମନ୍ଦିର ଶୁଦ୍ଧିକରଣ କାର୍ଯ୍ୟ କରାଯିବ ବୋଲି ମୁରବୀମାନେ କହିଥିଲେ। ତେବେ ଗାଁ କେତେକ ଉଚ୍ଚ ସମ୍ପ୍ରଦାୟର ବ୍ୟକ୍ତି ଏହି କଠୋର ଦଣ୍ଡକୁ ବିରୋଧ ମଧ୍ୟ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହିତ ପୋଲିସ, ରାଜସ୍ବ ଅଧିକାରୀ ଏବଂ ସମାଜ କଲ୍ୟାଣ ଅଧିକାରୀଙ୍କୁ ଗାଁ ପଠାଯାଇଛି। ଏସମ୍ପର୍କରେ ସ୍ଥାନୀୟ ଏସ୍‌ପି ଟି. ଶ୍ରୀଧର କରିଛନ୍ତି ଯେ, ଅଭିଯୁକ୍ତମାନେ ଶିଶୁଙ୍କ ମାତାପିତାଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି।

ସେହିପରି ଶିଶୁଙ୍କ ମାତାପିତା କୌଣସି ମାମଲା ଦାଏର କରିବାକୁ ମନା କରିଦେଇଥିଲେ। ସମାଜ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବାଲଚନ୍ଦ୍ର ସଙ୍ଗାନଲଙ୍କ ଅଭିଯୋଗ କ୍ରମେ ଇତିମଧ୍ୟରେ ଏହିମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ପି କହିଛନ୍ତି।

Share