ଦେବଗଡ଼,୧୬ା୧(ଡି.ଏନ୍.ଏ.): ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଛନ୍ତି ବାପା। ଏପରି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜଲା ନବଗଠିତ ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା ଗ୍ରାମରେ। ବାପା ବିଜୁ କିଷାନଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।
ଖବର ଅନୁଯାୟୀ, ତିଳେଇବଣି ବ୍ଲକ ତଥା ଲଇମୁରା ଥାନା ଅଧୀନ ଲମ୍ବଡୁରା ଗାଁ ବିଜୁ ନିୟମିତ ମଦ୍ୟପାନ କରିବା ସହ ଅନେକ ସମୟରେ ସ୍ତ୍ରୀ ଶକୁନ୍ତଳାଙ୍କୁ ମାରପିଟ୍ କରୁଥିଲେ। ଫଳରେ ଶକୁନ୍ତଳା ନିଜ ଝିଅ ସହ ମାସେ ହେଲା ନିଜ ବାପଘର ବଣେଇଁ ଥାନା କୁଳିକୁଟ ଗାଁକୁ ପଳେଇଥିଲେ। ତେବେ ଝିଅର ଅଧାର କାର୍ଡ ପ୍ରସ୍ତୁତ ସହ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ନାମ ଲେଖାଇବାକୁ କହି ବିଜୁ ଗତ କିଛି ଦିନ ତଳେ ସେମାନଙ୍କୁ ଲମ୍ବଡୁରା ଗାଁକୁ ଡାକିଥିଲେ। ମା’ ଓ ଝିଅ ଗାଁରେ ପହଞ୍ଚିଥିବା ବେଳେ ବିଜୁ ମକର ସଂକ୍ରାନ୍ତ ଦିନ ପ୍ରଚୁର ମଦ୍ୟପାନ କରି ପୁଣି ଥରେ ସ୍ତ୍ରୀ ଶକୁନ୍ତଳାଙ୍କୁ ମାରପିଟ୍ କରିଥିଲେ। ଫଳରେ ଶକୁନ୍ତଳା ରବିବାର ନିଜ ଝିଅକୁ ଛାଡ଼ି ପୁଣିଥରେ ବାପଘରକୁ ପଳେଇ ଯାଇଥିଲେ। ବିଜୁ ସୋମବାର ସକାଳୁ ଶୋଇଥିବା ଝିଅକୁ ତଳେ କଚାଡ଼ି ମାରି ଦେଇଥିବା ଜଣାପଡ଼ିଛି।