ନୂଆଦିଲ୍ଲୀ: ଫ୍ୟୁଚର ରିଟେଲର ଋଣ ରିକାଷ୍ଟ ଯୋଜନାକୁ ଋଣ ପ୍ରଦାନକାରୀ ସଂସ୍ଥାଗୁଡିକ ଅନୁମୋଦନ ପ୍ରଦାନ କରିଛନ୍ତି। ଫଳରେ କମ୍ପାନୀ ଏହାର ଋଣ ପଇଠ ଅବଧିକୁ ୨ ବର୍ଷ ଯାଏ ବଢାଇ ପାରିବ। କର୍ପୋରେଟ ଋଣକୁ ଏକାଥରକେ ପୁନର୍ଗଠନ କରିବା ଲାଗି କେ.ଭି. କାମାଥଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ଏକ କମିଟି ଗଠନ କରିଥିଲେ। ଏହି ଯୋଜନାକୁ କାମାଥ କମିଟି ମଞ୍ଜୁର କରିବା ପରେ ଫ୍ୟୁଚର ରିଟେଲକୁ ୨ ବର୍ଷର ମହଲତ ମିଳିଥିବା ଜଣାପଡିଛି। କମ୍ପାନୀ ଏହାର ଋଣ ପଇଠ କରିବାକୁ ବିଭିନ୍ନ ସମସ୍ୟା ସାମ୍ନା କରୁଥିବାରୁ ଏହାକୁ କିଛିଟା ଆଶ୍ୱସ୍ତି ମିଳିଥିବା କୁହାଯାଉଛି। ଫ୍ୟୁଚର ରିଟେଲର ଋଣ ପ୍ରଦାନକାରୀ ସଂସ୍ଥା ମଞ୍ଜୁରୀ ଦେଇଥିବା ବେଳେ ଏପ୍ରିଲ ୨୬ଠାରୁ କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସ ଏହାକୁ କାର୍ଯ୍ୟକାରୀ କରାଇବେ ବୋଲି ସୂଚନା ମିଳିଛି। ଏହି କମ୍ପାନୀକୁ ମୋଟ ୨୮ ବ୍ୟାଙ୍କ ଋଣ ପ୍ରଦାନ କରିଛନ୍ତି। ଏହା ମଧ୍ୟରେ ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଆକ୍ସିସ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ ରହିଛନ୍ତି। କମ୍ପାନୀ ନେଇଥିବା ସ୍ବଳ୍ପ ମିଆଦି ଋଣ, ମିଆଦି ଋଣ, ଏନ୍ସିଡି, ଓଭରଡିଉ ଓ୍ବାର୍କିଂ କ୍ୟାପିଟାଲ ଲୋନର ପଇଠ ଅବଧିକୁ ବଢାଇବା ନେଇ ଏହି ବ୍ୟାଙ୍କଗୁଡିକ ରାଜି ହୋଇଛନ୍ତି।