ସ୍ବାମୀ, ସ୍ତ୍ରୀଙ୍କୁ ୨ବର୍ଷ ଜେଲଦଣ୍ଡ

ଜୟପୁର,ରାୟଗଡା, ୧୨ା୧୦ (ପବନ ପାଣିଗ୍ରାହୀ/ଆଶିଷ ରଞ୍ଜନ ପଣ୍ଡା): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ କୋର୍ଟ ସ୍ବାମୀ ଓ ସ୍ତ୍ରୀଙ୍କୁ ଦଣ୍ଡିତ କରିଛନ୍ତି। ଭିଜିଲାନ୍ସ ଜଜ୍‌ ରାଜେଶ ଏକ୍କା ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ରାୟଗଡା ଜିଲା କାଶୀପୁରର ପୂର୍ବତନ ମାର୍କେଟିଂ ଇନ୍ସପେକ୍ଟର ପ୍ରଫୁଲ ପାଣିଗ୍ରାହୀ ଏବଂ ତାଙ୍କର ସ୍ତ୍ରୀ ରେଣୁବାଳା ପାଣିଗ୍ରାହୀଙ୍କୁ ଦଣ୍ଡିତ କରିଛନ୍ତି । ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ୨ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏ ଜରିମାନାରେ ଦଣ୍ଡିତ କରାଯାଇଛି। ଅର୍ଥ ଅନାଦୟ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।

୨୦୧୮ରେ ପ୍ରଫୁଲ ସମ୍ବଲପୁର ଜିଲା କୁଟିଣ୍ଡାର ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଭାବେ ଅବସର ନେଇଛନ୍ତି। ୨୦୦୪ରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ମାମଲାକୁ ସରକାରୀ ଓକିଲ ଶଶୀଧର ପଟ୍ଟନାୟକ ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ, ପ୍ରଫୁଲ୍ଲ ତାଙ୍କର ଅଧିକାଂଶ ସମ୍ପତି ତାଙ୍କ ସ୍ତ୍ରୀ ରେଣୁବାଳାଙ୍କ ନାମରେ କରିଥିବାରୁ ଏହି ମାମଲାରେ ରେଣୁବାଳାଙ୍କୁ ମଧ୍ୟ ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛନ୍ତି।

Share