ବଳଙ୍ଗା,୨୮ା୮(କେଦାରେଶ୍ୱର ନନ୍ଦ): ବଳଙ୍ଗା ଥାନା ଅଧୀନ ବନ୍ଧପଡ଼ା ଗ୍ରାମ ପାଖଦେଇ ଯାଇଥିବା ଶାଖା କେନାଲରେ ବନ୍ଧ ଭାଙ୍ଗି ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଗାଁ ଭିତରେ ପାଣି ପଶିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ୫୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ହୋଇରହିଛନ୍ତି। ପ୍ରକାଶ ଯେ, କୋଟକୁସାଙ୍ଗ ପଞ୍ଚାୟତର କାଶିଆ-କୋଟକୁସାଙ୍ଗ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତାରୁ ବନ୍ଧପଡା ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ନୂଆଗାଁ କେନାଲରେ ଘଳିଆ ସୃଷ୍ଟି ହୋଇ ମାତ୍ରାଧିକ ପାଣି ଏହି ଶାଖା କେନାଲରେ ପ୍ରବାହିତ ହେବା ଯୋଗୁ ଘାଇ ସୃଷ୍ଟି ହୋଇ ରାସ୍ତାଟି ଧସିଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଭାତ ବିଶ୍ବାଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।