Categories: ଜାତୀୟ

ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କ ୨୦ ଲକ୍ଷ ବିଜୁଳି ବିଲ୍‌

ଗାନ୍ଧୀନଗର:ଗୁଜରାଟର ନବସାରୀ ସହରସ୍ଥିତ ଏକ ପେଟ୍ରୋଲ ପମ୍ପ୍‌ରେ କାର୍ଯ୍ୟରତ ପଂକ୍ତିବେନ୍‌ ପଟେଲ ନାମ୍ନୀ ଜଣେ ମହିଳା କର୍ମଚାରୀଙ୍କ ନିକଟକୁ ୨୦ ଲକ୍ଷ ଟଙ୍କାର ବିଜୁଳି ବିଲ୍‌ ଆସିଛି। ଏହା ଦେଖି ସେ ଓ ତାଙ୍କ ପରିବାର ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ତାଙ୍କ ପରିବାରରେ ମାତ୍ର ୪ ଜଣ ସଦସ୍ୟ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ କାମ କରିବାକୁ ଯାଉଥିବାରୁ ଅଧିକାଂଶ ସମୟ ବାହାରେ ରୁହନ୍ତି। ସେହିପରି ପଂକ୍ତିବେନ୍‌ଙ୍କ ଘରେ କେବଳ ଗୋଟିଏ ଟିଭି, ଗୋଟିଏ ଫ୍ରିଜ୍‌, ୪ଟି ଲେଖାଏ ଫ୍ୟାନ୍‌ ଓ ବଲ୍‌ବ ରହିଛି। ଏତେ କମ୍‌ ସରଞ୍ଜାମ ଥିଲେ ମଧ୍ୟ ଦକ୍ଷିଣ ଗୁଜରାଟ ପାଓ୍ବାର କମ୍ପାନୀ ପକ୍ଷରୁ ଜୁଲାଇ ମାସ ପାଇଁ ତାଙ୍କ ନିକଟକୁ ୨୦,୦୧, ୯୦୨ ଟଙ୍କାର ବିଜୁଳି ବିଲ୍‌ ଆସିଥିବା ପଂକ୍ତିବେନ୍‌ କହିଛନ୍ତି। ସର୍ବଦା ଦୁଇରୁ ଅଢ଼େଇ ହଜାର ଟଙ୍କାର ମାସିକ ବିଦ୍ୟୁତ୍‌ ବିଲ୍‌ ଆସୁଥିବାବେଳେ ଚଳିତ ଥର ଲକ୍ଷାଧିକ ଟଙ୍କାର ବିଲ୍‌ ଦେଖି ସେ ଚକିତ ହୋଇଯାଇଥିଲେ। ସେ ସର୍ବଦା ଠିକ୍‌ ସମୟରେ ବିଦ୍ୟୁତ୍‌ ବିଲ ପୈଠ କରୁଥିବାବେଳେ ତାଙ୍କର କୌଣସି ବକେୟା ନ ଥିବା ପଂକ୍ତିବେନ୍‌ କହିଛନ୍ତି। ଏହାସତ୍ତ୍ୱେ ତାଙ୍କ ନିକଟକୁ ୨୦ ଲକ୍ଷ ଟଙ୍କାର ବିଜୁଳି ବିଲ୍‌ ଆସିଥିବାରୁ ତାଙ୍କ ପରିବାରରେ ମାନସିକ ଅଶାନ୍ତି ଖେଳିଯାଇଥିଲା ବୋଲି ପଂକ୍ତିବେନ୍‌ କହିଛନ୍ତି। ଏନେଇ ସେ ଗୁଜରାଟ ବିଦ୍ୟୁତ ବିଭାଗ(ଜିଇବି)କୁ ଜଣାଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଜିଇବିର ଜଣେ ଅଧିକାରୀ ରବିବାର ଆସି ପଂକ୍ତିବେନ୍‌ଙ୍କ ଘରେ ଲାଗିଥିବା ମିଟର ରିଡିଂ ଭୁଲ୍‌ ଥିବା ଜାଣିବାକୁ ପାଇଥିଲେ। ସେ ଘଣ୍ଟାଏ ମଧ୍ୟରେ ଉକ୍ତ ମିଟର ରିଡିଂର ଭୁଲ୍‌କୁ ସଂଶୋଧନ କରିବା ସହ ନୂତନ ବିଲ୍‌ ଜାରି କରିଥିଲେ, ଯାହାଫଳରେ ପଂକ୍ତିବେନ୍‌ଙ୍କ ପରିବାରକୁ ଆଶ୍ୱସ୍ତି ମିଳିପାରିଛି।

Share