୨୦ ଲକ୍ଷ ଛାଡ଼ିଲେ ଭିଟାମାଟି, ୮ ଲକ୍ଷ ଶିଶୁ ବି ସାମିଲ…

କ୍ୱିଭ୍‌/ମସ୍କୋ,୯।୩ : ୟୁକ୍ରେନଉପରେ ରୁଷିଆ ଆକ୍ରମଣ ଯୋଗୁ ଇତିମଧ୍ୟରେ ୨୦ ଲକ୍ଷ ଲୋକ ଭିଟାମାଟି ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୮ ଲକ୍ଷ ଶିଶୁ ମଧ୍ୟ ରହିଛନ୍ତି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ରୁଷିଆ ବୋମାମାଡ଼ରେ ୟୁକ୍ରେନ୍‌ର ୮୧ ହସ୍ପିଟାଲ ଧ୍ୱଂସ ହୋଇଯାଇଛି। ଏହା ସହିତ ବିଦ୍ୟୁତ୍‌ ଏବଂ ଜଳ ଯୋଗାଣ ସମ୍ଭବ ହୋଇ ପାରୁନାହିଁ।

ଲୋକେ ଭୋକଶୋଷରେ ସୀମା ମୁହାଁ ହେବାରେ ଲାଗିଛନ୍ତି। ସର୍ବାଧିକ ଲୋକ ପୋଲାଣ୍ଡରେ ଶରଣ ନେଇଛନ୍ତି। ସେହିପରି ରୋମାନିଆ, ମୋଲଡୋଭା, ସ୍ଲୋଭାକିଆ, ହଙ୍ଗେରୀ ଏବଂ ବେଲାରୁଷ୍‌ରେ ୟୁକ୍ରେନ୍‌ ଶରଣାର୍ଥୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବହୁ ଲୋକ ନିଜ ନିଜ ପରିବାରଠାରୁ ଅଲଗା ହୋଇ ଯାଇଛନ୍ତି।

ସ୍ଳୋଭାକିଆ ସରକାର କହିଛନ୍ତି ଯେ, ୟୁକ୍ରେନ୍‌ ଛାଡ଼ିଥିବା ଲୋକଙ୍କୁ ରହିବା ତଥା ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି। ଏହା ସହିତ ସେମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସୁବିଧା, ଶିକ୍ଷା ଏବଂ ନିଯୁକ୍ତ ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ।

Share