ମହିଳା ମହାସଂଘ ଜମାଖାତାରୁ ୨୦ ଲକ୍ଷ ଟଙ୍କା ଆତ୍ମସାତ୍‌ କରିନେଲେ ସଭାନେତ୍ରୀ, ସମ୍ପାଦିକା

ବନ୍ତ,୧୪ା୮(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଜମାଖାତାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ ନେଇ ଅଭିଯୋଗ ହୋଇଛି। ମହାସଂଘ ଅଧୀନରେ ଥିବା ସିଆର୍‌ପି ଓ ଏସଏଚ୍‌ଜିର ସଦସ୍ୟାମାନେ ବୁଧବାର ଏନେଇ ବିପିଏମ୍‌ (ବ୍ଲକ ପ୍ରୋଗ୍ରାମ ମ୍ୟାନେଜର) ଦୁର୍ଗା ପ୍ରସାଦ ଦାଶଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବନ୍ତସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ଥିବା ମହାସଂଘର ଜମାଖାତାରୁ ସଭାନେତ୍ରୀ, ସମ୍ପାଦିକା ଓ ଏମ୍‌ବିକେ ମିଳିମିଶି ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବେଆଇନ ଭାବେ ଉଠାଇ ଆତ୍ମସାତ୍‌ କରିଛନ୍ତି। ଉକ୍ତ ଟଙ୍କା ଫେରସ୍ତ କରିବା ପାଇଁ ସିଆର୍‌ପି ଓ ଏସ୍‌ଏଚ୍‌ଜି ସଦସ୍ୟାମାନେ ବହୁବାର କହୁଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି।
ମହାସଂଘ ଅଧୀନରେ ଥିବା ଏକ ସ୍ବୟଂସହାୟକ ଗୋଷ୍ଠୀ ଦୀର୍ଘବର୍ଷ ହେବ ବନ୍ଦ ହୋଇଯାଇଥିବା ବେଳେ ଉକ୍ତ ଗ୍ରୁପ୍‌ ନାମରେ ଏକାଧିକବାର ବ୍ୟାଙ୍କ ଋଣ ଉଠାଯାଇ ହଡ଼ପ କରାଯାଇଛି। ଋଣ ଉଠାଣ ସମ୍ପର୍କରେ ସମ୍ପୃକ୍ତ ଏସ୍‌ଏଚ୍‌ଜିର ସଦସ୍ୟାମାନେ କୌଣସି ଟେର୍‌ ପାଇନାହାନ୍ତି। ଉକ୍ତ ଗୋଷ୍ଠୀ ନାମରେ ନକଲି ରିଜୋଲେସନ ତିଆରି କରାଯିବା ସହ ସଭାନେତ୍ରୀ, ସମ୍ପାଦିକା ଓ ସଦସ୍ୟାମାନଙ୍କ ଜାଲ୍‌ ଦସ୍ତଖତ କରାଯାଇ ଟଙ୍କା ଉଠାଯାଇଛି। ସେଲ୍ଫ ଚେକ୍‌ ଜରିଆରେ ବ୍ୟାଙ୍କରୁ ନଗଦ ଟଙ୍କା ଉଠାଇବା ଏବଂ ମହାସଂଘ ଜମାଖାତାରୁ ନିଜ ନିଜ ବ୍ୟକ୍ତିଗତ ଜମାଖାତାକୁ ଟଙ୍କା ଟ୍ରାନ୍ସଫର କରାଯାଇଛି। ସେହିପରି ଏସ୍‌ଏଚ୍‌ଜିମାନଙ୍କ ମାସିକ ଦେୟ ମହାସଂଘ ଜମାଖାତାରେ ଡିପୋଜିଟ କରା ନ ଯାଇ ହଡ଼ପ କରାଯାଇଥିବା ସିଆର୍‌ପି ଉମାରାଣୀ ଦାସ, କବିତା ନାୟକ, ସୁରଜିତା ବେହେରା, ଖଲିଦା ବିବି, ବୈଦେହୀ ସେଠୀ, ପ୍ରାଚୀ ତ୍ରିପାଠୀ, ମନୋରମା ତରେଇ, ଇସମାତୁନ୍‌ ଖାତୁନ, ପିଙ୍କି ଜେନା, ଏସ୍‌ଏଚ୍‌ଜି ସଦସ୍ୟା ତିଳୋତ୍ତମା ଯେନା, ମାନସୀ ଯେନା, ଜହ୍ନ ଯେନା, ସୁମତୀ ଜେନା, ସୁଲୋଚନା ଜେନା, ଜାନକୀ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି। ହଡ଼ପ ହୋଇଥିବା ଟଙ୍କା ତୁରନ୍ତ ଆଦାୟ କରାଯିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିପିଏମ୍‌ ଦୁର୍ଗା ପ୍ରସାଦ ଦାଶ ଆସନ୍ତା ବୁଧବାର ମଧ୍ୟରେ କାଗଜପତ୍ର ଯାଞ୍ଚ କରାଯିବା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।