ପରିବହନକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଜବତ

ବଡ଼ବିଲ,୧୮ା୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଶୁକ୍ରବାର କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି ବେଳେ ୨୦ ଲକ୍ଷ ଟଙ୍କା ଜବତ କରିଛି। ୩ ପରିବହନକାରୀ ସଂସ୍ଥାର କର୍ମଚାରୀଙ୍କ ନିକଟରୁ ଏହି ଟଙ୍କା ଜବତ ହୋଇଥିବା ପୋଲିସ କହିଛି।
ସୂଚନା ଅନୁଯାୟୀ, ବଡ଼ବିଲ ପୋଲିସ କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି କରୁଥିଲା। ବଡ଼ବିଲରୁ ଭଦ୍ରାସାହି ଆଡ଼କୁ ଯାଉଥିବା ଏକ ବାଇକ୍‌କୁ ଅଟକାଇ ଯାଞ୍ଚ ବେଳେ ୭ ଲକ୍ଷ ଟଙ୍କା ମିିଳିଥିଲା। ସେହିପରି ସାଧୁସିଂ ହଟିଂ ଛକରେ ଠାକୁରାଣୀ ଅଭିମୁଖେ ଯାଉଥିବା ଏକ ବୋଲେରୋରେ ବସିଥିବା କର୍ମଚାରୀଙ୍କ ନିକଟରୁ ୮ ଲକ୍ଷ ଓ ଏକ ବାଇକ୍‌ରେ ଯାଉଥିବା କର୍ମଚାରୀଙ୍କ ନିକଟରୁୁ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ଜବତ ଟଙ୍କା ୩ ପରିବହନକାରୀ ସଂସ୍ଥା ଭଦ୍ରାସାହି ଅଞ୍ଚଳର ତ୍ରିଶକ୍ତି ଟ୍ରାନ୍ସପୋର୍ଟ, ବଡ଼ବିଲ ଅଞ୍ଚଳର ରାଧାକୃଷ୍ଣ ଟ୍ରାନ୍ସପୋର୍ଟ ଏବଂ କେନ୍ଦୁଝରର ସ୍ବପ୍ନେଶ୍ୱର ରୋଡ ଲାଇନ୍ସର ବୋଲି ଜଣାପଡ଼ିଛି। ପୋଲିସ ଜବତ ଟଙ୍କାକୁ କେନ୍ଦୁଝର ଜିଲା ମୁଖ୍ୟ କୋଷାଗାରକୁ ପଠାଇବା ସହ ଆୟକର ବିଭାଗକୁ ତଦନ୍ତ ନିମନ୍ତେ ସୂଚନା ଦେଇଛି। ତେବେ ତ୍ରିଶକ୍ତି ଟ୍ରାନ୍ସପୋର୍ଟର କର୍ମଚାରୀ ବଡ଼ବିଲ ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଣ କରିଥିବା ବେଳେ ଅନ୍ୟ ଦୁଇ ପରିବହନକାରୀ ସଂସ୍ଥା କେଉଁ ବ୍ୟାଙ୍କରୁ ଟଙ୍କା ଉଠାଣ କରିଥିଲେ ତାହା ଜଣାପଡିନାହିଁ ବୋଲି ଇନ୍ସପେକ୍ଟର ରମାକାନ୍ତ ମୁଦୁଲି କହିଛନ୍ତି।

Share