ଏଟିଏମ୍‌ କାଟି ଅଖାରେ ପୂରାଇ ନେଇଗଲେ ୨୦ ଲକ୍ଷ

ବାହାନଗା, ୨୭ା୧୧(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବଜାର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବଡଧରଣର ଲୁଟ୍‌ ହୋଇଛି। ବଜାରଠାରୁ ଶହେ ମିଟର ଦୂର ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କାଟି ଦୁର୍ବୃତ୍ତମାନେ ୨୦ ଳକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅଖାରେ ପୂରାଇ ନେଇଯାଇଛନ୍ତି। ସେହି ଏଟିଏମ୍‌ କାଉଣ୍ଟରରେ କେହି ରାତ୍ରି ଜଗୁଆଳୀ ରହୁ ନ ଥିବାରୁ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଛନ୍ତି।
ପ୍ରଥମେ ୨ଜଣ ଯୁବକ ମୁହଁରେ ଗାମୁଛା ଗୁଡାଇ ଏଟିଏମ୍‌ କାଉଣ୍ଟର ଭିତରକୁ ପଶିଥିଲେ। ଏହାପରେ ଶଟରକୁ ଭିତରପଟୁ ପକାଇ ଦେଇଥିଲେ। ଗ୍ୟାସ କଟରରେ ମେଶିନ୍‌କୁ କାଟିବା ପରେ ଏଥିରୁ ଟଙ୍କା କାଢି ଅଖାରେ ଭର୍ତ୍ତି କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ଟଙ୍କା ଅଖାକୁ ଧରି ଶଟର ପକାଇ ଚାଲିଯାଇଥିବା ସିସି କ୍ୟାମେରାରେ ଦେଖିବାକୁ ମିଳିଛି। ତେବେ ଏଟିଏମ୍‌ ଭିତରେ ୨୪ରୁ ୨୬ଲକ୍ଷ ଟଙ୍କା ରବିବାର ଭର୍ତ୍ତି ହୋଇଥିବା ସ୍ଥାନୀୟ ଦୋକାନୀମାନେ କହିଥିଲେ। ତେବେ ରାତି ୧୨ଟା ପର୍ଯ୍ୟନ୍ତ ଏଟିଏମ୍‌ ଠିକ୍‌ ଥିବା ପାଖ ଦୋକାନୀ ଘରକୁ ଯିବା ସମୟରେ ଦେଖିଥିଲେ। ସୋମବାର ସକାଳେ ଦୋକାନୀମାନେ ଦୋକାନକୁ ଆସିବା ପରେ ଏଟିଏମ୍‌ ମେଶିନ କଟାଯାଇ ତଳେ ପଡିଥିବା ଦେଖିଥିଲେ। ଦୋକାନୀମାନେ ସଙ୍ଗେ ସଙ୍ଗେ ଘର ମାଲିକଙ୍କୁ ଖବରଦେଇଥିଲେ। ଘରମାଲିକ ଘଟଣାସ୍ଥଳରେ ପହଞ୍ଚତ୍ ସୋର ଥାନା ଓ ଖନ୍ତାପଡ଼ା ଥାନାକୁ ଖବର ଦେଇଥିଲେ। ପୋଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ଏହାର ତଦନ୍ତ କରି ଫେରିଯାଇଛନ୍ତି। ତେବେ ଲୁଟ୍‌ କରିଥିବା ଦୁର୍ବୃତ୍ତମାନଙ୍କର କୌଣସି ପତ୍ତା ମିଳିପାରିନାହିଁ। ଏନେଇ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଏଜେନ୍ସି ପକ୍ଷରୁ ସୋର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରିଛି।