୨୦ରୁ ‘ପରୀକୁ ନ୍ୟାୟ ପଦଯାତ୍ରା’

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଓଡ଼ିଶାର ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା, ସାମାଜିକ କର୍ମୀ ତଥା ସମାଜର ସମସ୍ତ କ୍ଷେତ୍ରର ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷ ‘ପରୀ’କୁ ନ୍ୟାୟ ଦେବା ଲାଗି ଆଗେଇ ଆସନ୍ତୁ। ଏହାସହ ମାତୃଶକ୍ତି ଏବଂ ଶିଶୁ ସମ୍ପଦର ସୁରକ୍ଷା ପାଇଁ ଆଗକୁ ପାଦ ବଢ଼ାନ୍ତୁ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ‘ପରୀକୁ ନ୍ୟାୟ ପଦଯାତ୍ରା’ରେ ସମସ୍ତେ ସାମିଲ ହୋଇ ଏହାକୁ ସଫଳ କରାଇବା ଲାଗି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଆହ୍ବାନ ଦେଇଛନ୍ତି। ସମୀର କହିଛନ୍ତି, ନୟାଗଡ଼ ଜିଲା ଯଦୁପୁର ଗାଁର ୫ ବର୍ଷର ଝିଅ ‘ପରୀ’କୁ ହତ୍ୟା ଏବଂ ଅଙ୍ଗଚୋରି ଘଟଣାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାର କୁତ୍ସିତ ପ୍ରୟାସ କରାଯାଉଛି। ସରକାରଙ୍କ ଏଭଳି ଅପଚେଷ୍ଟାକୁ ବିରୋଧ କରି ଡିସେମ୍ବର ୨୦ଖରେ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ ‘ପରୀ’ ର ଗାଁ ନୟାଗଡ଼ର ଯଦୁପୁର ପର୍ଯ୍ୟନ୍ତ ୫ଦିନ ପଦଯାତ୍ରା ଚାଲିବ ବୋଲି ସମୀର ସୂଚନା ଦେଇଛନ୍ତି। ସେହିପରି ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ପରୀ ହତ୍ୟାକାଣ୍ଡର ତଦନ୍ତ ଏବେ ଦିଗହରା ହୋଇଛି। ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଦୋଷ ସ୍ବୀକାର କରିବା ପାଇଁ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ତଦନ୍ତ ଆଳରେ ଅରୁଣ ବୋଥ୍ରାଙ୍କ ଏପରି କାର୍ଯ୍ୟକଳାପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ଅରୁଣ ବୋଥ୍ରାଙ୍କୁ ଏସ୍‌ଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରିବା ସହିତ ସିବିଆଇ ତଦନ୍ତ କଲେ ପରୀକୁ ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି।

Share