କରୋନାର ନୂଆ ଷ୍ଟ୍ରେନ୍ ବଢାଇଲାଣି ଚିନ୍ତା ଆଉ ୨୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୫ ।୧: ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ସାର୍ସ କୋଭିଡ-୨ ନୂଆ ଷ୍ଟ୍ରେନରେ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ଜଣଙ୍କୁ ଚିହ୍ନଟ କରାଗଲାଣି । ମଙ୍ଗଳବାର ବ୍ରିଟେନରୁ ଫେରିଥିବା ୨୦ ଜଣଙ୍କ ନିକଟରେ ନୂଆ ଷ୍ଟ୍ରେନ୍ ମିଳିବା ପରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୮ରେ ପହଞ୍ଚିଛି । ଗୋଟିଏ ପଟେ ଦୈନିକ କରୋନା ସଂକ୍ରମଣ ସାମାନ୍ୟ କମ୍ ହୋଇଥିବା ବେଳେ ଅନ୍ୟପଟେ ନୂଆ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟି ଗଲାଣି । ମଙ୍ଗଳବାର ଚିହ୍ନଟ ହୋଇଥିବା ସମସ୍ତ ୨୦ ଜଣଙ୍କ ନମୁନା ପୁଣେ ଲ୍ୟାବରେ ପରୀକ୍ଷା ହୋଇଥିବା ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବ୍ରିଟେନରେ ନୂଆ ପ୍ରକାର ଜେନୋମ ସହ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ନମୁନା ପଜିଟିଭ ଚିହ୍ନଟ ହୋଇଛି । ତେବେ ବ୍ରିଟେନୁ ଫେରିଥିବା ଲୋକଙ୍କ ସହ ଯାତ୍ରା କରିଥିବା ଲୋକେ ଓ ସେମାନଙ୍କ ପରିବାର ଓ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଲାଗି ଅଭିଯାନ ଯୋର କରାଯାଇଛି । ନଚେତ୍ ନୂଆ ଷ୍ଟ୍ରେନ୍ ସଂକ୍ରମଣକୁ ରୋକିବା କାଠିକର ପାଠ ହୋଇଯିବ । ସୂଚନାଯୋଗ୍ୟ, ଏହି ନୂଆ ଷ୍ଟ୍ରେନ୍ ଏବେ ଡେନମାର୍କ, ନେଦରଲ୍ୟାଣ୍ଡସ୍‌, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ ଓ ସିଙ୍ଗାପୁରରେ ମଧ୍ୟ ଦେଖାଦେଲାଣି । ବ୍ରିଟେନ ସରକାର ମଙ୍ଗଳବାର ରାତିରୁ ସାରା ଦେଶରେ ଲକ୍‌ଡାଉନ୍ ଜାରି କରିଛନ୍ତି ।

Share