Categories: ଜାତୀୟ

ଡାକ୍ତରଖାନାରେ ଭର୍ତ୍ତି ହେବାର ୭ରୁ ୧୨ ଘଣ୍ଟା ମଧ୍ୟରେ ୨୦ ପ୍ରତିଶତ ରୋଗୀଙ୍କ ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨୩।୪: ଦେଶରେ କରୋନା ସଂକ୍ରମଣର ଅବସ୍ଥା ଏକ ଭୟଙ୍କର ରୂପ ନେଉଛି। ପ୍ରତିଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଡାକ୍ତରଖାନା ଗୁଡ଼ିକରେ ଏବେ ଶଯ୍ୟା ଅଭାବ ଦେଖାଦେଇଛି। ଅଧିକାଂଶ ରାଜ୍ୟରେ ଅମ୍ଳଜାନର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି। ଏକ ଆକଳନରୁ ଜଣାପଡିଛି ଯେ, ୫ରୁ ୬ ପ୍ରତିଶତ ରୋଗୀ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରୁଛନ୍ତି। ଏଥି ସହିତ, ଡାକ୍ତରଖାନାରେ ଭର୍ତ୍ତି ହେବାର ୭ରୁ ୧୨ ଘଣ୍ଟା ମଧ୍ୟରେ ୨୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ଘଟୁଛି। ପୂର୍ବ ସପ୍ତାହରେ, ପରିସ୍ଥିତି ଏପରି ଥିଲା ଯେ ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ୪୮ ଘଣ୍ଟା ମଧ୍ୟରେ ୨୫ ରୁ ୩୦ ପ୍ରତିଶତ ମତ୍ୟୁ ଘଟୁଥିଲା।
ଗତ ଗୋଟିଏ ଦିନରେ ଦେଶରେ କରୋନା କାରଣରୁ ୨୧୦୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଯଦି କରୋନାର ଆକଳନକୁ ଦେଖାଯିବ ତେବେ ପ୍ରତି ମିନିଟରେ ଏକରୁ ଅଧିକ ରୋଗୀ କରୋନାରେ ମୃତ୍ୟୁ ବରଣ କରୁଛନ୍ତି। ଗତ ୧୫ ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଏହି ପରିସ୍ଥିତି ଦେଖାଯାଉଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, କୋଚି, ଲକ୍ଷ୍ନୌ, ଚଣ୍ଡିଗଡ଼, ରାୟପୁର, ଭୋପାଳ, ଇନ୍ଦୋର ସମେତ ଅନେକ ସହରରେ ଅମ୍ଳଜାନର ଅଭାବ ୪୦ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ (ଏନସିଡିସି)ର ରିପୋର୍ଟ ଅନୁଯାୟୀ, ଏପ୍ରିଲ ୧୨ରୁ ୨୧ ମଧ୍ୟରେ କରୋନା ସଙ୍କଟ ବଢିଛି।
ରିପୋର୍ଟ ଅନୁଯାୟୀ, ଅମ୍ଳଜାନ ଅଭାବରୁ କରୋନା ସଂକ୍ରମିତ ରୋଗୀଙ୍କ ଅବସ୍ଥା ଦ୍ରୁତଗତିରେ ଖରାପ ହେବାରେ ଲାଗିଛି। ମୃତ ଅବସ୍ଥାରେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏନସିଡିସି ରିପୋର୍ଟ ଅନୁଯାୟୀ, ଭାରତରେ ୪୦ ପ୍ରତିଶତ ମୃତ୍ୟୁ ହସ୍ପିଟାଲରେ ଭର୍ତ୍ତି ହେବାର ୭୨ ଘଣ୍ଟା ମଧ୍ୟରେ ଘଟୁଛି। ଏଥି ସହିତ, ପ୍ରତି ଚାରି ଜଣରେ ଜଣଙ୍କର ମୃତ୍ୟୁ ଡାକ୍ତରଖାନାରେ ଭର୍ତ୍ତି ହେବାର ୪୮ ଘଣ୍ଟା ମଧ୍ୟରେ ଘଟୁଛି।

Share