ବୌଦ୍ଧ,୫।୩(ସ୍ବ.ପ୍ର.): ବୌଦ୍ଧ ଜିଲା ଗଞ୍ଜେଇ ଚାଷ ଏବଂ କାରବାର ପାଇଁ ପେଣ୍ଠସ୍ଥଳ ପାଲଟିଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଗଞ୍ଜେଇ ହେଉଥିବା ସ୍ଥାନ ଚିହ୍ନଟ କରି ଗଞ୍ଜେଇ ଚାଷ ନଷ୍ଟ କରୁଥିବା ସତ୍ତ୍ୱେ ଜିଲାରୁ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ ବାହାରକୁ ଚାଲାଣ ହେଉଛି। ପୋଲିସ ଏବଂ ଅବକାରୀ ବିଭାଗ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରୁଥିଲେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ଥମିବାର ନାଁ ନେଉନାହିଁ। ଶନିବାର ବୌଦ୍ଧ ପୋଲିସ ପୁଣି ବଘିଆପଡ଼ା ଫାଣ୍ଡି ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ।
କୌଣସି ସୂତ୍ରରୁ ଖବର ପାଇ ପୋଲିସର ଏକ ଟିମ୍ ମାତାଗାଡୁ ଜଙ୍ଗଲରେ ଚଢାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ୯୭ଟି ଜରିବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପରେ ପୋଲିସ ଗଞ୍ଜେଇକୁ ଜବତ କରିଥିଲା। ଓଜନ ପରେ ଜବତ ଗଞ୍ଜେଇ ୨୦ କୁଇଣ୍ଟାଲ ୪୦ କେଜି ହୋଇଥିଲା । ଏ ନେଇ ବୌଦ୍ଧ ଥାନାରେ ଏକ ମାମଲା(ନଂ.୧୨୫/୨୩) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମାଧବାନନ୍ଦ ନାଏକ କହିଛନ୍ତି। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ କାହାରିକୁ ଗିରଫ କରାଯାଇ ନାହିଁ।