ଭଞ୍ଜନଗର,୩୧ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଲିଆପଟା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏଥିରେ ଅଶୋକ ନାୟକ, କୃଷ୍ଣ ନାୟକ, ଦୟା ନାୟକ, ଗୟା ନାୟକ, ଗୋବିନ୍ଦ ନାୟକ, ତମ୍ବାଲ ନାୟକ ,କେଶବ ନାୟକ ,ଜଗନ୍ନାଥ ବିଶୋଇ, ରାଧା ବିଶୋଇ, ବିଦେଶୀ ବିଶୋଇ, ଭାଗ୍ୟ ବିଶୋଇ ପ୍ରମୁଖଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଭଞ୍ଜନଗର ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ କିଭଳି ଲଗିଲା ଜଣାପଡ଼ିନାହିଁ।
ବାଲିଆପଟା ଗ୍ରାମରେ ରବିବାର ରାତି ପ୍ରାୟ ୧୨ଟାରେ ହଠାତ୍ ଏକ ଘରେ ନିଆଁ ଲାଗି ଯାଇଥିଲା। ଏହା ଚାହୁଁ ଚାହୁଁ ବ୍ୟାପୀ ଯାଇଥିଲା। ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ଅଗ୍ନିକାଣ୍ଡରେ ଗୋଟିଏ ବାଇକ୍ ପୋଡିଯାଇଛି। ସୋମବାର ଭଞ୍ଜନଗର ବିଡିଓ ଶଶୀଭୂଷଣ ମହାପାତ୍ର, ତହସିଲଦାର ଅତ୍ୟୁତାନନ୍ଦ ଜାନି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କୁ ଥଇଥାନ କରିବା ସହ ପ୍ରାଥମିକ ଭାବେ କିଛି ସହାୟତା ପ୍ରଦାନ କରିଛନ୍ତି।